ରାଜଧାନୀର ଅଶୋକ ନଗରରେ ପୂଜା କମିଟିର ଦାଦାଗିରି : ଗଣେଶ ପୂଜା ଚାନ୍ଦା ମାଗି ହୋଟେଲ ମାଲିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

669
କନକ ବ୍ୟୁରୋ : ପୂଜା ଚାନ୍ଦା ମାଗିଲେ, ମାଡ ମାରିଲେ । ହୋଟେଲ ସିଟି ରେସିଡେନ୍ସିର ମାଲିକଙ୍କୁ ପୂଜା ଚାନ୍ଦା ମାଗି ଆକ୍ରମଣ ଅଭିଯୋଗ । ଅଶୋକ ନଗରରେ ଥିବା ଏକ ଗଣେଶ ପୂଜା କମିଟିର ଲୋକମାନେ ଗତ ରାତିରେ ଗଣେଶ ଭଷାଣୀକୁ ନେଇ ୧୦ ହଜାର ଟଙ୍କା ଦାବି କରିଥିଲେ । ହେଲେ ସେ ମାତ୍ର ୧୨ଶହ ଟଙ୍କା ଦେଇଥିବାରୁ ଏଥିରେ ଉତ୍ୟକ୍ତ ହୋଇ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ସେ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଚାନ୍ଦା ଦିଅ, ନହେଲେ ମାଡ଼ ! ରାଜଧାନୀ ଚାନ୍ଦା ପାଇଁ ଦାଦାଗିରି । ଏପରି ଘଟଣା ଯେତିକି ଆଶ୍ଚର୍ୟ୍ୟ କରିବ  ସେତିକି ମନରେ ଭୟ ସୃଷ୍ଟି ହେବ । ଏହି ଦାଦାଗିରିର ଘଟଣା, ଆଇନ ଶୃଙ୍ଖଳା ଉପରେ ଏକ ବଡ଼ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି । ପୂଜା ଚାନ୍ଦା ନଦେବାରୁ ହୋଇଛି ମରଣାନ୍ତକ ଆକ୍ରମଣ । ମାଡ଼ରେ ପୀଡ଼ିତଙ୍କ ମୁହଁ ଫୁଲିଯାଇଛି । ନା’ ଅଛି ଆଇନକୁ ଭୟ, ନା ଅଛି କମିସନରେଟ୍ ପୋଲିସର କଟକଣାକୁ ପରୱା । ଦିନ ଦ୍ୱିପହରରେ ଗୁଣ୍ଡା ଚଳାଉଛନ୍ତି ଗୁଣ୍ଡାରାଜ । ଚାନ୍ଦା ଆଦାୟ ସଂପୂର୍ଣ୍ଣ ବେଆଇନ, ଚାନ୍ଦା ମାଗିଲେ ହାତକଡ଼ି ପଡ଼ିବ ବୋଲି ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଥିଲେ ହେଁ ଚାନ୍ଦା ନାଁରେ ଦାଦାଗିରି ଚାଲିଛି ।