କରୋନା ସ୍ଥିତି ଉପରେ ମୁଖ୍ୟମନ୍ତ୍ରୀଙ୍କ ନଜର : ସଂକ୍ରମିତ ଅଞ୍ଚଳରେ ସବୁ ସୁବିଧା ଯୋଗାଇବା ପାଇଁ ନିର୍ଦ୍ଦେଶ, ଡ଼ାକ୍ତର ଓ ଅନ୍ୟ କର୍ମଚାରୀଙ୍କ ନିରାପତ୍ତା ଉପରେ ଗୁରୁତ୍ୱ

578

କନକ ବ୍ୟୁରୋ : କରୋନା ସ୍ଥିତି ଉପରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ସଂକ୍ରମିତ ଅଞ୍ଚଳରେ ସବୁ ସୁବିଧା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଜଧାନୀରେ କରୋନାର ହଟସ୍ପଟ୍ ପାଲଟିଛି ବମିଖାଲ । ଲଗାତାର ସେହି ଅଞ୍ଚଳରୁ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି। ଗତକାଲି ଗୋଟିଏ ଦିନରେ ରାଜଧାନୀର ୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେବଳ ବମିଖାଲ ଅଞ୍ଚଳରୁ ୧୫ଜଣ ପଜିଟିଭ୍ ସାମ୍ନାକୁ ଆସିଛନ୍ତି । ଏପରିସ୍ଥଳରେ ବମିଖାଲ ଅଞ୍ଚଳକୁ ସିଲ୍ କରିଦିଆଯାଇଛି । ତେବେ ସେମାନଙ୍କ ଯେପରି କିଛି ଅସୁବିଧା ନହୁଏ, ତାଙ୍କର ଘରେ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେବଳ ଏତିକି ନୁହେଁ ଘରକୁ ଘର ବୁଲି ସର୍ଭେ କରୁଥିବା ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ନିରାପତ୍ତା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ ରାଜ୍ୟର କରୋନା ସ୍ଥିତି ନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟରେ କରୋନା ଭୂତାଣୁରେ ଏବେ ସୁଧା ୩୯ ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରେ ୩୨ ଜଣ ରହିଛନ୍ତି । ଏବଂ ୩୨ ଜଣଙ୍କ ମଧ୍ୟରୁ ଅଧିକାଂଶ ମାମଲା ବମିଖାଲ ଓ ସୂର୍ଯ୍ୟନଗର ଅଂଚଳର ବୋଲି ସରକାରଙ୍କ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ବମିଖାଲ ଅଂଚଳର ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ଗୋଟିଏ ପରିବାରର ବୋଲି ଟ୍ୱିଟରରେ ସୂଚନା ଦିଆଯାଇଛି । ଏସବୁ ଅଂଚଳକୁ ସିଲ୍ କରାଯାଇଛି । ତେଣୁ ଲୋକମାନଙ୍କୁ ଆତଙ୍କିତ ନହେବାକୁ କୁହାଯାଇଛି ।