ଗର୍ଭରୁ ହିଁ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି କୋମଳମତି : ଗଞ୍ଜାମରେ ୮୮୭ ଗର୍ଭବତୀ ଏଚ୍ଆଇଭି ପଜିଟିଭ୍‌

562

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାରେ ଏଡ୍‌ସ ଏକ ଗୁରୁତର ସମସ୍ୟା ଭାବେ ମୁଣ୍ଡ ଟେକିଛି । ଓଡ଼ିଶାରେ ଚିହ୍ନଟ ହୋଇଥିବା ଏଡ୍‌ସ ରୋଗୀଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାର ବୋଲି ସରକାରୀ ରେକର୍ଡ଼ କହୁଛି । ଏଚ୍‌ଆଇଭିକୁ ‌ନେଇ ଏବେ ଆଉ ଏକ ସାଂଘାତିକ ତଥ୍ୟ ପଦାକୁ ଆସିଛି । ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଏମିତି ମୋଟ ୮୮୭ଜଣ ଏଚ୍‌ଆଇଭି ଗର୍ଭବତୀ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଜିଲ୍ଲାରେ ୨୬ଜଣ ଗର୍ଭବତୀ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ଏଡ୍‌ସ ସେଲ୍‌ ସୂତ୍ରରୁ ଜଣାପଡ଼ିଛି ।

ଗଞ୍ଜାମ ଜିଲ୍ଲାରେ ଚଳିତ ଅକ୍ଟୋବର ମାସ ସୁଦ୍ଧା ମୋଟ ୧୬ହଜାର ୧୧ ଏଡ୍‌ସ ରୋଗୀ ଚିହ୍ନଟ ହୋଇ ସାରିଛନ୍ତି। ଚଳିତ ଅକ୍ଟୋବର ମାସ ସୁଦ୍ଧା ଜିଲ୍ଲାରେ ମୋଟ ୫୦୫ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ ଏଡ୍‌ସ ବ୍ୟାପିବାର ଅନ୍ୟତମ କାରଣ ହେଉଛନ୍ତି ଦାଦନ ସମସ୍ୟା । ଜିଲ୍ଲାରୁ ପ୍ରତିବର୍ଷ ହଜାର ହଜାର ଲୋକ ପଡ଼ୋଶୀ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ସେଠାରେ ସେମାନେ ଅସୁରକ୍ଷିତ ଯୌନ ସମ୍ପର୍କ ସ୍ଥାପନ କରି ଏଚ୍ଆଇଭିରେ ଆକ୍ରାନ୍ତ ହେଉଛନ୍ତି । ବିଭିନ୍ନ ସମୟରେ ସେମାନେ ଘରକୁ ଫେରୁଛନ୍ତି ।

ରୋଗ ସମ୍ପର୍କରେ ଜାଣିପାରୁ ନଥିବାରୁ ସେମାନେ ଠିକ୍ ସମୟରେ ଚିକିତ୍ସା କରୁ ନାହାନ୍ତି। ଅଜାଣତରେ ସେମାନଙ୍କର ପତ୍ନୀ ମଧ୍ୟ ଏଚ୍ଆଇଭିରେ ଆକ୍ରାନ୍ତ ହେଉଛନ୍ତି । ପରବର୍ତ୍ତୀ ସମୟରେ ଗର୍ଭରେ ଶିଶୁ ରହିବା ପରେ ତାର ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଉଛି । ଠିକ୍‌ ସମୟରେ ଏହାର ଚିକିତ୍ସା ବ୍ୟବସ୍ଥା ନକଲେ ଶିଶୁ ମଧ୍ୟ ଏଚ୍‌ଆଇଭିରେ ଆକ୍ରାନ୍ତ ହୋଇଯାଉଛି । ଏବେ ନୂତନ ଚିକିତ୍ସା ବିଜ୍ଞାନର ସହାୟତାରେ ମା’ ଗର୍ଭରେ ଥିବା ଶିଶୁକୁ ଏଡ୍‌ସ କବଳରୁ ରକ୍ଷା କରାଯାଇ ପାରିବ । ରୋଗୀଙ୍କୁ ଚିକିତ୍ସା ସେବା ପ୍ରଦାନ କରିବା ପାଇଁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ଓ ଭଞ୍ଜନଗର ମେଡିକାଲରେ ଏଆର‌୍‌ଟି ସେଣ୍ଟର‌୍‌ ରହିଛି ।

ସେହିପରି ଆସିକା, ପୋଲସରା ଓ ଖଲ୍ଲିକୋଟରେ ଲିଙ୍କ୍‌ ଏଆର‌୍‌ଟି ସେଣ୍ଟର‌୍‌ ରହିଛି। କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନର ରହିଥିବା ନ୍ୟାସନାଲ୍‌ ଏଡ୍‌ସ କଣ୍ଟ୍ରୋଲ ସୋସାଇଟି(ନାକୋ) ତରଫରୁ ବିଭିନ୍ନ ପ୍ରକାର ଯୋଜନା ହାତକୁ ନିଆଯାଇଛି । ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସୋସାଇଟି ତରଫରୁ ଏଡ୍‌ସ ରୋଗୀଙ୍କୁ ଚିକିତ୍ସା ସୁବିଧା ସହିତ ମାଗଣା ଔଷଧ ପ୍ରଦାନ ଲାଗି ବ୍ୟବସ୍ଥା କରାଯାଇଛି । ଏ ସବୁ ସୁବିଧା ଓ ସଚେତନତା ସତ୍ବେ ଚଳିତ ବର୍ଷ ୨୬ଜଣ ଏଚ୍ଆଇଭି ଗର୍ଭବତୀ ପଜିଟିଭ୍ ଚିହ୍ନଟ ହୋଇ ସାରିଲେଣି । ତେଣୁ ଏ ଦିଗରେ ଆହୁରି ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।