ରାଜ୍ୟରେ ଏଚ୍‌ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଟପିଲା : ୨୦୧୯-୨୦ରେ ୨୪୬୭ ନୂତନ ସଂକ୍ରମିତ ରୋଗୀ ଚିହ୍ନଟ

211

କନକ ବ୍ୟୁରୋ : ରାଜ୍ୟରେ ଏଚ୍‌ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଟପି ଯାଇଛି । ୨୦୧୯/୨୦ ମସିହାରେ ୨୪୬୭ ନୂତନ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୯୬ଜଣ ହେଉଛନ୍ତି ଯୁବ ବର୍ଗର । ୨୦୩୦ ମସିହା ସୁଦ୍ଧା ଦେଶରୁ ଏଚ୍‌ଆଇଭି/ଏଡ୍‌ସମୁକ୍ତ ଲକ୍ଷ୍ୟ ରହିଥିବା ବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବା ଚିନ୍ତାର କାରଣ ପାଲଟିଛି ।

ଗତବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ରାଜ୍ୟରେ ୪୯ହଜାର ୪୦୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଡିସେମ୍ବର ମାସ ଶେଷ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୫୦ହଜାର ୨୮୨ରେ ପହଞ୍ଚିଛି । ଗତ ୩ମାସରେ ୮୮୧ଜଣ ନୂତନ ଏଚ୍‌ଆଇଭି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ଏଚ୍‌ଆଇଭି ଆକ୍ରାନ୍ତ ହାର ୪୧ପ୍ରତିଶତ ରହିଛି । ରାଜ୍ୟର ପ୍ରତ୍ୟେକ ସରକାରୀ ଡାକ୍ତରଖାନାରେ ଆଇସିଟିସି ଜରିଆରେ ମାଗଣାରେ ଏଚ୍‌ଆଇଭି ପରୀକ୍ଷା କରାଯାଉଛି । ଗ୍ରାମାଞ୍ଚଳରେ ଭିଏଚ୍‌ଏନ୍‌ଡି ଜରିଆରେ ମଧ୍ୟ ସ୍କ୍ରିନିଂ କରାଯାଉଛି । ଏହାସହ ବିଭିନ୍ନ ଏନ୍‌ଜିଓ ସଂସ୍ଥାମାନଙ୍କ ଜରିଆରେ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଏଚ୍‌ଆଇଭି ସ୍କ୍ରିନିଂ କରାଯାଉଛି ।

ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ଓସାକ୍ସ୍ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ସ୍କ୍ରିନିଂକୁ ଏବେ ଯଥେଷ୍ଟ ଗୁରୁତ୍ବ ଦିଆଯାଉଛି । ଫଳରେ ଲୋକମାନେ ସ୍ବେଚ୍ଛାକୃତ ଭାବେ ସ୍କ୍ରିନିଂ କରିବା ପାଇଁ ଆଗଭର ହେଉଛନ୍ତି । ରାଜ୍ୟରେ ଏଚ୍‌ଆଇଭି ସଂକ୍ରମଣ କ୍ଷେତ୍ରରେ ୩ ପ୍ରତିଶତ ହ୍ରାସ ଘଟିଛି ।