କନକ ବ୍ୟୁରୋ : ଉତ୍ତର ପ୍ରଦେଶରେ ବିଶ୍ୱ ହିନ୍ଦୁ ମହାସଭା ଅଧ୍ୟକ୍ଷଙ୍କୁ ଗୁଳି ମାରି ହତ୍ୟା । ମର୍ଣ୍ଣିଂୱାକ୍ କରୁଥିବା ସମୟରେ ବାଇକରେ ଆସି ଦୁର୍ବୃତ୍ତ ତାଙ୍କ ଉପରେ ଗୁଳିମାଡ କରି ଫେରାର ହୋଇଯାଇଥିଲେ । ବିଶ୍ୱ ହିନ୍ଦୁ ମହାସଭା ଅଧ୍ୟକ୍ଷ ରଣଜୀତ ବଚ୍ଚନଙ୍କ ମୁଣ୍ଡକୁ ଟାର୍ଗେଟ କରି ଦୁର୍ବୃତ୍ତ ଗୁଳି କରିଥିଲେ । ଫଳରେ ଘଟଣା ସ୍ଥଳରେ ସେ ଟଳିପଡିଥିଲେ । ଏପରି ଏକ ଖବର ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ହଜରତଗଂଜ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ଗୋରଖପୁର ଜିଲ୍ଲା ନିବାସୀ ‘ଅଖିଳ ଭାରତୀୟ ହିନ୍ଦୁ ମହାସଭା’ର ଅଧ୍ୟକ୍ଷ ରଣଜୀତ ବଚ୍ଚନ ତାଙ୍କ ସାନଭାଇଙ୍କ ସହ ସକାଳ ବୁଲାରେ ଯାଇଥିବା ବେଳେ ହଜରତଗଞ୍ଜସ୍ଥିତ ସେଣ୍ଟ୍ରାଲ୍ ଡ୍ରଗ୍ ରିସର୍ଚ ଇନଷ୍ଟିଚ୍ୟୁଟ୍ ଅଟ୍ଟାଳିକା ନିକଟରେ ଦୁଇଜଣ ଲୋକ ସେମାନଙ୍କ ଉପରକୁ ଗୁଳି ଚଳାଇ ଥିଲେ । ଘଟଣାସ୍ଥଳରେ ରଣଜୀତ ବଚ୍ଚନଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଭାଇ ସାଙ୍ଘାତିକ ଆହତ ହୋଇଛନ୍ତି । ତାଙ୍କୁ କିଙ୍ଗ୍ ଜର୍ଜସ୍ ମେଡିକାଲ୍ ୟୁନିଭର୍ସିଟିର ଟ୍ରମା ସେଣ୍ଟର୍ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ପୋଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।