କନକ ବ୍ୟୁରୋ : ଜାତୀୟ ରାଜପଥରେ ଦିନକୁ ଦିନ ଲୁଟପାଟ, ଛିନତାଇ ଓ ଡକାୟତି ଭଳି ମାମଲା ବଢ଼ି ଚାଲିଛି । ବିଗତ କିଛି ବର୍ଷ ହେବ ଏଭଳି ଲୁଟପାଟ ପୁଲିସ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି । ୪ ବର୍ଷରେ ରାଜ୍ୟର ବିଭିନ୍ନ ଥାନାରେ ପାଖାପାଖି ୨୯୬ଟି ଲୁଟପାଟ ମାମଲା ରୁଜୁ ହୋଇଛି । କିଛି ଦିନ ତଳେ ଖୋଦ୍ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଜାତୀୟ ରାଜପଥରେ ଲୁଟପାଟ ବୃଦ୍ଧି ପାଇଛି ବୋଲି ଏକ ପ୍ରଶ୍ନର ଉତ୍ତରରେ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଅଭିଭାଷଣ ପରେ ପୁଲିସ ବିଭାଗ ଜାତୀୟ ରାଜପଥରେ ପାଟ୍ରୋଲିଂ ପାଇଁ ଏକ ସ୍ୱତନ୍ତ୍ର ଫୋର୍ସ ଗଠନ କରିବାକୁ ଯୋଜନା କରିଛି । ଏ ନେଇ ପୁଲିସ ଡିଜି ଗୃହ ବିଭାଗକୁ ଏକ ଚିଠି କରିଛନ୍ତି । ଗୃହ ବିଭାଗରୁ ଅନୁମତି ମିଳିବା ପରେ ଜାତୀୟ ରାଜପଥରେ ପାଟ୍ରୋଲିଂ କରିବାକୁ ଏକ ସ୍ୱତନ୍ତ୍ର ଫୋର୍ସ ଗଠନ କରାଯିବ ବୋଲି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି ।
ପୁଲିସ ଡିଜି ଶ୍ରୀ ଶର୍ମାଙ୍କ ସୂଚନା ମୁତାବକ, ଓଡ଼ିଶା ଦେଇ ଯାଇଥିବା ଜାତୀୟ ରାଜପଥର ୫ଟି ସ୍ଥାନକୁ ଅତ୍ୟନ୍ତ ସମ୍ବେଦନଶୀଳ ରାଜପଥ ବୋଲି ପୁଲିସ ଚିହ୍ନଟ କରିଛି । ସେହି ରାଜପଥରେ ହିଁ ଲୁଟେରାମାନେ ସକ୍ରିୟ ଅଛନ୍ତି । ସେଗୁଡିକ ହେଲା, ସମ୍ବଲପୁର- ରାଉରକେଲା, ମଙ୍ଗୁଳି- ସମ୍ବଲପୁର, ଭୁବନେଶ୍ୱର-ପୁରୀ, ସମ୍ବଲପୁର- ସୋହେଲା, ଜଳେଶ୍ୱର- ଇଚ୍ଛାପୁରମ୍ ଆଦି । ପ୍ରଥମ ପର୍ଯ୍ୟାୟରେ ଏହି ୫ଟି ଜାତୀୟ ରାଜପଥରେ ପୁଲିସ ପାଟ୍ରୋଲିଂ କରିବ ।
ଅନ୍ୟପକ୍ଷରେ କମିସନରେଟ ପୁଲିସ ଅଧୀନ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ପିତାପଲ୍ଲୀଠାରୁ ପଳାସୁଣୀ ମଧ୍ୟରେ ଲୁଟପାଟ ଓ ଛିନତାଇ ହ୍ରାସ ପାଇଛି । ୨୦୧୬ ମସିହାରେ ୪୭ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୭ରେ ଏହା ଖସି ୩୪ରେ ପହଞ୍ଚିଥିଲା । ଚଳିତ ବର୍ଷ ଏବେ ସୁଦ୍ଧା ମାତ୍ର ୧୪ଟି ମାମଲା ରୁଜୁ ହୋଇଛି ବୋଲି କମିସନରେଟ ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।