କନକ ବ୍ୟୁରୋ : ସୁଜିତଙ୍କୁ ମିଳିଲା ସାହାରା । କନକ ନ୍ୟୁଜର ପ୍ରଭାବ । ଦୀର୍ଘ ୧୫ ବର୍ଷ ହେବ ନିଜର ପେଟ ପୋଷିବା ପାଇଁ ବଡଦାଣ୍ଡରେ ଭିକ୍ଷାବୃତ୍ତି କରୁଥିବା ପୁରୀ ବଡଶଙ୍ଖ ତଳନୂଆ ସାହିର ୫୩ ବର୍ଷୀୟ ସୁଜିତ ପାଢୀଙ୍କୁ ଆଜି ଉଦ୍ଧାର କରାଯାଇଛି । ସୁଜିତଙ୍କ ବନ୍ଧୁମାନେ ଆଜି ବଡଦାଣ୍ଡ ଯାଇ ତାଙ୍କୁ ଉଦ୍ଧାର କରିଛନ୍ତି । ଅଧିକ ଚିକିତ୍ସା ପାଇଁ ସୁଜିତଙ୍କୁ କଟକ ବଡ ମେଡିକାଲ ନିଆଯିବ ।
ସୁଜିତଙ୍କ ଏଜୁକେସନାଲ କ୍ୟାରିୟର୍ ଫାଷ୍ଟକ୍ଲାସ୍ । ଓଏଏସ୍ ହେବା ତାଙ୍କ ଜୀବନର ମୁଖ୍ୟ ଲକ୍ଷ୍ୟ ଥିଲା । ଓଏଏସ ମେନ ପାଇବା ପରେ ମୌଖିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିନଥିଲେ ସୁଜିତ । ଓଏଏସ ପାଇବା ନିଶାରେ ମାନସିକ ଭାରସାମ୍ୟ ହରାଇ ବସିଥିଲେ ସୁଜିତ । ପରିବାରରେ ୩ ଭଉଣୀ , ୩ ଭାଇ ଥିଲେ ମଧ୍ୟ କେହି ଆଉ ସୁଜିତଙ୍କର ଦେଖାଶୁଣା କରିନଥିଲେ ।
ଶେଷରେ ମାନସିକ ସନ୍ତୁଳନ ହରାଇ ଭିକ୍ଷାବୃତ୍ତିକୁ ଆପଣାଇନେଇଥିଲେ ସୁଜିତ । ଗତ ମଙ୍ଗଳବାରଦିନ ଏ ନେଇ କନକ ନ୍ୟୁଜରେ ଖବର ପ୍ରସାରିତ ହୋଇଥିଲା । ଏହା ପରେ ସୁଜିତଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ଶେଷରେ ଆଜି ସୁଜିତଙ୍କୁ ଉଦ୍ଧାର କରାଯାଇଛି ।