ଭିକାରୀ ସଜାଇଲା ଓଏଏସ୍ ପାଇବା ନିଶା : ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରୁଛନ୍ତି ଉଚ୍ଚଶିକ୍ଷିତ ସୁଜିତ୍, ଓଏଏସ ମୁଖ୍ୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମୌଖିକରେ ବିଫଳ ହେବା ପରେ ମାନସିକ ଭାରସାମ୍ୟ ହରାଇଛନ୍ତି ପୁରୀ ଯୁବକ

7,703

କନକ ବ୍ୟୁରୋ : କଥାରେ ଅଛି କାଲି ଯେ ରାଜେନ୍ଦ୍ରାସନେ ଆଜି ସେ ଭିକାରୀ । ଅର୍ଥାତ କାଲି ଯିଏ ରାଜସିଂହାସନ ଅଳଙ୍କୃତ କରିଥିଲା ଆଜି ସେ ବଡ଼ଦାଣ୍ଡର ଭିକାରୀ । ଦିନ ଥିଲା ସେ ଏକ ଆଭିଜାତ୍ୟ ସମ୍ପନ୍ନ ପରିବାରର ଦାୟାଦ ଥିଲେ, ହେଲେ ଆଜି ବାରଦ୍ୱାର ବୁଲୁଛନ୍ତି । କାଳିଆ ଦୁଆରେ ଭିକ ମାଗୁଛନ୍ତି ଆଉ ଜଣେ ପାଠୁଆ ଭିକାରୀ । ଓଏଏସ୍ ପାଇବା ନିଶା ଆଜି ତାଙ୍କୁ ପାଗଳ କରିଛି । ଓଏଏସ୍ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସୁଜିତ ମୌଖିକ ପରୀକ୍ଷାରେ ଉତୀର୍ଣ୍ଣ ହୋଇପାରିନଥିଲେ । ଆଉ ସେବେଠାରୁ ମାନସିକ ସନ୍ତୁଳନ ହରାଇ ବସିଛନ୍ତି । ଭାଗ୍ୟର ବିଡ଼ମ୍ବନା ଦେଖନ୍ତୁ ବଡ଼ଦାଣ୍ଡରେ ଦୀର୍ଘ ୧୫ ବର୍ଷ ହେବ ବଡ଼ଦାଣ୍ଡରେ ଭିକ ମାଗୁଛନ୍ତି ପୁରୀର ସୁଜିତ ।

ସୁଜିତଙ୍କ ଘର ପୁରୀ ବଡ଼ଶଙ୍ଖ ତଳନୂଆ ସାହିରେ । ବୟସ ପ୍ରାୟ ୫୩ ବର୍ଷ । ଆଭିଜାତ୍ୟ ସମ୍ପନ୍ନ ପରିବାରରେ ତାଙ୍କ ଜନ୍ମ । ଘରେ ସମସ୍ତେ ଉଚ୍ଚଶିକ୍ଷିତ । ସୁଜିତଙ୍କର ୩ ଭାଇ ୩ ଭଉଣୀ । ସମାଜରେ ସୁଜିତଙ୍କ ପରିବାରର ବେଶ୍ ସୁନାମ ରହିଛି । ସୁଜିତ୍ ଜଣେ ମେଧାବୀ ଛାତ୍ର । ପିଲାଟି ବେଳୁ ପାଠ ପାଇଁ ପାଗଳ । ତାଙ୍କର ଏଜୁକେସନାଲ କ୍ୟାରିୟର୍ ଫାଷ୍ଟକ୍ଲାସ୍ । ଓଏଏସ୍ ହେବାତ୍ତା ଙ୍କ ଜୀବନର ମୁଖ୍ୟ ଲକ୍ଷ୍ୟ ଥିଲା । ଥରେ, ଦୁଇ ଥର ଆଉ ତା’ପରେ ତୃତୀୟ ଥର ଓଏଏଏସ୍ ପରୀକ୍ଷା ଦେବାପରେ ଲିଖିତ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ ସୁଜିତ । ହେଲେ ଭାଇବା ପରୀକ୍ଷାରେ ଅକୃତକାର୍ଯ୍ୟ ହେବାପରେ ମାନସିକ ସନ୍ତୁଳନ ହରାଇ ବସିଥିଲେ ସୁଜିତ।

ଆଉ ଏବେ ଧୂଳି ମଇଳା ପୋଷାକ ପିନ୍ଧି ବଡ଼ଦାଣ୍ଡରେ ଘୁରି ବୁଲୁଛନ୍ତି ଉଚ୍ଚଶିକ୍ଷିତ ସୁଜିତ । ମୁଣ୍ଡରେ ଜଟ, ଅନେକ ଦିନ ହେବ ଦାଢ଼ି କଟାହୋଇନି । ଅନ୍ୟ ଭିକାରୀଙ୍କ ପରି କାହାକୁ ଗାଳିଗୁଲଜ କରନ୍ତିନି ସୁଜିତ । ବେଶ୍ ମାର୍ଜିତ ତାଙ୍କ ବ୍ୟବହାର । ଅନର୍ଗଳ ଇଂରାଜୀ ଓ ଜ୍ୟୋତିଷ ଶାସ୍ତ୍ରକୁ ମନେ ମନେ ଗୁଣି ହୁଅନ୍ତି । ଆଭିଜାତ୍ୟ ସମ୍ପନ୍ନ ପରିବାରର ସୁଜିତଙ୍କ ପାଇଁ ଏବେ ବଡ଼ଦାଣ୍ଡ ପାଲଟିଛି ଶେଷ ଠିକଣା ।

ଗତ କିଛି ଦିନ ପୂର୍ବରୁ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଦେହାନ୍ତ ଖବର ଶୁଣି ଘରକୁ ଯାଇଥିଲେ ସୁଜିତ । ହେଲେ ମାନସିକ ସନ୍ତୁଳନ ହରାଇଥିବା ସୁଜିତକୁ କେହି ଆଦର ଯତ୍ନ କଲେନି । ତେବେ ଉଚିତ ଚିକିତ୍ସା କରାଇଲେ ସେ ଭଲ ହୋଇପାରନ୍ତେ ବୋଲି କହୁଛନ୍ତି ସୁଜିତଙ୍କ ସାଙ୍ଗସାଥୀ ।