ପୁରୀ ବଡଦାଣ୍ଡରେ ଆଉ ଜଣେ ଉଚ୍ଚଶିକ୍ଷିତା ଭିକାରୁଣୀ : କମ୍ୟୁଟରରେ ପି.ଜି, ମୁହଁରେ ଅନର୍ଗଳ ଇଂରାଜୀ . . . .ଓଡିଶାର କଳା, ସଙ୍ଗୀତ ଓ ସଂସ୍କୃତି ପ୍ରତି ଆକୃଷ୍ଟ ହୋଇ ପୁରୀ ଚାଲିଆସିଥିବା କଥା କୁହନ୍ତି ଧରିତ୍ରୀ ଚାଟାର୍ଜୀ

1,768

କନକ ବ୍ୟୁରୋ : ପୁରୀ ବଡଦାଣ୍ଡରୁ ଭିକାରୀଙ୍କୁ ଥଇଥାନ କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଆଉ ସ୍ଥାନାନ୍ତର ବେଳେ ପୁଣି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଜଣଙ୍କ ପରେ ଜଣେ ଉଚ୍ଚଶିକ୍ଷିତ ଭିକାରୀ ସାମ୍ନାକୁ ଆସୁଛନ୍ତି । ପଶ୍ଚିମବଙ୍ଗରୁ ଜଣେ ଉଚ୍ଚଶିକ୍ଷିତା ମହିଳା ବଡଦାଣ୍ଡରେ ଭିକ୍ଷାବୃତି କରୁଥିବା ସାମ୍ନାକୁ ଆସିଛି । କୋଲକାତାର ଏହି ମହିଳା ଧରିତ୍ରୀ ଚାଟାର୍ଜୀ କମ୍ୟୁଟରରେ ପି.ଜି କରିଛନ୍ତି ।

ଓଡିଶାର କଳା, ସଙ୍ଗୀତ ଓ ସଂସ୍କୃତି ପ୍ରତି ଆକୃଷ୍ଟ ହୋଇ ସେ ପୁରୀ ଚାଲି ଆସିଛନ୍ତି । ୬୦ ବର୍ଷ ଅତିକ୍ରମ କରିଥିବା ଧରିତ୍ରୀ କିଛି ଦିନ ଚାକିରୀ ଜୀବନ ଅତିବାହିତ ମଧ୍ୟ କରିଥିବା ଜଣାଯାଇଛି । ଏତେ ପାଠ ପଢ଼ି ମଧ୍ୟ କାଳିଆ ପ୍ରେମରେ ପଡ଼ି ଭିକ୍ଷାବୃତି କରୁଥିବା କଥା କହିଛନ୍ତି ଉଚ୍ଚଶିକ୍ଷିତା ଭିକାରୀ ଧରିତ୍ରୀ । ତାଙ୍କ ମତରେ ଧର୍ମସ୍ଥାନରେ ଭିକ୍ଷାବୃତି ଏକ ମହତ୍ କାର୍ଯ୍ୟ । କାଳିଆ କାଳିଆ ଦୁଆରେ ଅଧିକ ଶିକ୍ଷାଗତ ଯୋଗ୍ୟତା ଥାଇ ବି ଭିକ୍ଷାବୃତି କରିବାରେ କୌଣସି ସଙ୍କୋଚବୋଧ ନାହିଁ ବୋଲି ସେ କହନ୍ତି ।

ପ୍ରଶାସନ ପକ୍ଷରୁ ପୁରୀରେ ଭିକାରୀଙ୍କୁ ଥଇଥାନ କରିବା ପାଇଁ ଆଜି ଠାରୁ ନୀଳାଦ୍ରି ନିଳୟ ଯୋଜନା ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ଭିକାରୀଙ୍କ ପୁନର୍ବାସ ବ୍ୟବସ୍ଥା କରାଯିବ । ଏଥିଲାଗି ୫ଶହ ଭିକାରୀଙ୍କ ପାଇଁ ଅର୍ଥ ମଞ୍ଜୁର ହୋଇଛି । ସମସ୍ତ ଭିକାରଙ୍କୁ ୫ ଭାଗରେ ବିଭକ୍ତ କରାଯାଇଛି । ବୟସ୍କ ଓ ଶାରୀରିକ ଅକ୍ଷମଙ୍କୁ ପ୍ରଧାନ୍ୟ ଦିଆଯିବ । ନୀଳାଦ୍ରି ନିଳୟରେ ପୁନଃବାସ କରାଯିବ । ସେମାନଙ୍କୁ ଡାକି ପ୍ରଶିକ୍ଷଣ ଦିଆଯିବ । ଭିକାରୀଙ୍କୁ ଥଇଥାନ କରିବାକୁ ଟିମ୍ ଗଠନ କରାଯାଇଛି ।