କନକ ବ୍ୟୁରୋ : ପୁଣି ଅଶାନ୍ତ ହୋଇଛି ସୀମାନ୍ତ । ସ୍ଥିତିକୁ ଦେଖି ନିୟନ୍ତ୍ରଣରେଖା ନିକଟରେ ହାଇଆଲର୍ଟରେ ସେନା । ଆତଙ୍କବାଦୀଙ୍କ ଅନୁପ୍ରବେଶ ଆଶଙ୍କା ଥିବାରୁ ହାଇଆଲର୍ଟରେ ସେନାକୁ ରଖାଯାଇଛି । ସୀମାରେ ଅସ୍ତ୍ରବିରତି ଉଲଂଘନ ପରେ ଜବାବ ଦେବାକୁ ଯାଇ ଭାରତୀୟ ସେନା ପାକିସ୍ତାନର କିଛି ପୋଷ୍ଟକୁ ଉଡାଇ ଦେଇଥିଲା । ଏହା ପରେ ଅଧିକ ଅଶାନ୍ତ ହୋଇଛି ଏଲଓସି ।
ପାକିସ୍ତାନ ପଟୁ ଆକ୍ରମଣ ଆଶଙ୍କା ସହିତ ଆତଙ୍କବାଦୀଙ୍କ ଅନୁପ୍ରବେଶ ଆଶଙ୍କା ରହିଥିବାରୁ ସୀମାରେ ସେନାକୁ ଅଧିକ ସଜାଗ କରାଯାଇଛି । ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା, ଜାମ୍ମୁକାଶ୍ମୀରରୁ ଧାରା ୩୭୦ ହଟିବା ପରେ ଏବେ ଜାମ୍ମୁକାଶ୍ମୀରକୁ ଅନୁପ୍ରବେଶ ପାଇଁ ସୀମା ସେପଟରେ ପ୍ରାୟ ଦେଢ ଶହ ଆତଙ୍କବାଦୀ ପ୍ରସ୍ତୁତ ହେଉଛନ୍ତି । ଏପରିକି ଘାଟିରୁ ଧାରା ୩୭୦ ହଟିବା ପର ଠାରୁ ଘାଟିରେ କୌଣସି ବଡ ଧରଣର ଧନଜୀବନ ହାନୀ ଦେଖିବାକୁ ମିଳିନି । ଏହାକୁ ନେଇ ଅଧିକ ବିଚଳିତ ହୋଇଛି ପାକିସ୍ତାନ ।
ସେପଟେ କାଶ୍ମୀରରେ ସ୍ୱାଭାବିକ ହେଉଛି ସ୍ଥିତି । ଜନସାଧାରଣଙ୍କ ଯାତାୟତ ଉପରେ ଆଜି କଶ୍ମୀରର ବିଭିନ୍ନ ସ୍ଥାନରେ କଟକଣା ହଟିଛି । କଶ୍ମୀରର କିସ୍ତୱାଡ଼ା ସମେତ ଅନ୍ୟ କେତେକ ସମ୍ବେଦନଶୀଳ ଅଂଚଳରେ ଦିନରେ କର୍ଫ୍ୟୁ ହଟାଇ ନିଆଯାଇଛି । ସମୁଦାୟ ୯୬ଟି ଟେଲିଫୋନ୍ ଏକ୍ସଚେଞ୍ଜ୍ ମଧ୍ୟରୁ ୩୫ ଥାନା ଅଧୀନରେ ଥିବା ୧୭ଟି ଟେଲିଫୋନ୍ ଏକ୍ସଚେଞ୍ଜ୍ କାର୍ଯ୍ୟକ୍ଷମ ହୋଇଛି । ସେହିପରି ଜମ୍ମୁ ଅଞ୍ଚଳର ୫ଟି ଜିଲ୍ଲାରେ ପୁନଃ ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ଆରମ୍ଭ ହୋଇଛି । ଦୀର୍ଘ ୧୨ ଦିନର କଟକଣା ପରେ ଏବେ କଶ୍ମୀରରେ ସ୍ବାଭାବିକ ସ୍ଥିତି ଆସିଛି ।