ପାର୍ବଣ ସମୟରେ ଆକ୍ରମଣ ଆଶଙ୍କା : ସୀମାରେ ୫୦୦ ଆତଙ୍କବାଦୀ ସକ୍ରିୟ, କଶ୍ମୀରରେ ହାଇ ଆଲର୍ଟ

Advertisment
ଜାମ୍ମୁ ଓ କାଶ୍ମୀର ବାନ୍ଦିପୋରାରେ ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ : ୨ ଆତଙ୍କବାଦୀ ନିହତ

କନକ ବ୍ୟୁରୋ : ଧାରା ୩୭୦ ଉଚ୍ଛେଦ ପରଠାରୁ ପାକିସ୍ତାନ ଭାରତ ବିରୋଧରେ ଲଗାତାର ବିଷୋଦ୍‌ଗାର ଜାରି ରଖିଛି । ଭାରତରେ ବଡ଼ ଧରଣର ଆକ୍ରମଣ ପାଇଁ ନିୟମିତ ଷଡ଼ଯନ୍ତ୍ର ରଚୁଛି । ନିୟନ୍ତ୍ରଣ ରେଖା ବା ଏଲ୍‌ଓସି ନିକଟରେ ଏବେ ଆତଙ୍କବାଦୀ ଶିବିର ଗୁଡ଼ିକ ପୁନର୍ବାର ସକ୍ରିୟ ହୋଇ ଯାଇଛନ୍ତି ଏବଂ ପ୍ରାୟ ୫୦୦ ଆତଙ୍କବାଦୀ ଏବେ ଭାରତକୁ ଅନୁପ୍ରବେଶ ଅପେକ୍ଷାରେ ଅଛନ୍ତି ବୋଲି ସେନାମୁଖ୍ୟ ଜେନେରାଲ ବିପିନ ରାୱତ ଆଜି ‌ଚେନ୍ନାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି । ସେନାମୁଖ୍ୟ ରାୱତଙ୍କର ଏହି ସୂଚନା ପରେ କଶ୍ମୀରରେ ଏବେ ହାଇ ଆଲର୍ଟ ଜାରି ହୋଇଛି । ଏକ ବ‌ିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ପାକିସ୍ତାନ ପଟୁ ଏଲ୍‌ଓସିରେ ଅନୁପ୍ରବେଶ ଉଦ୍ୟମ ହେଉ କିମ୍ବା ଅନ୍ୟ କୌଣସି ଦୁଃସାହସିକ କାର୍ଯ୍ୟର ଉଚିତ୍‌ ‌ଜବାବ ଦେବାପାଇଁ ଭାରତୀୟ ସେନା ସବୁ ସମୟରେ ପ୍ରସ୍ତୁତ ଅଛି ଏବଂ ସେନାକୁ ଏନେଇ ପୂର୍ଣ୍ଣ ସ୍ବାଧୀନତା‌ ମିଳିଥିବା ଜଣାପଡ଼ିଛି ।

ଗୁଇନ୍ଦା ସୂଚନାନୁଯାୟୀ ପାକିସ୍ତାନର ଲିପା ଉପତ୍ୟକାରେ ଥିବା ଆତଙ୍କବାଦୀ ଶିବିରରେ ଆତଙ୍କବାଦୀମାନେ ଜମ୍ମୁ କଶ୍ମୀର ଭିତରକୁ ଅନୁପ୍ରବେଶ ଅପେକ୍ଷାରେ ଅଛନ୍ତି । ପାକିସ୍ତାନର ଆତଙ୍କବାଦୀ ଗୋଷ୍ଠୀ ଭାରତରେ ପ୍ରମୁଖ ସାମରିକ ପ୍ରତିଷ୍ଠାନ ଗୁଡ଼ିକୁ ଟା‌ର୍ଗେଟ୍‌ କରିଥିବା‌ ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି । ଗତ ୨ ମାସ ମଧ୍ୟରେ ପ୍ରାୟ ୬୦ ଆତଙ୍କବାଦୀ ଏଲ୍‌ଓସି ଅତିକ୍ରମ କରି କଶ୍ମୀରକୁ ଅନୁପ୍ରବେଶ କରିଛନ୍ତି । ଏହି ଆତଙ୍କବାଦୀମାନେ ପାର୍ବଣ ସମୟରେ ବଡ଼ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିଛନ୍ତି ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି  ।

ଏଥିସହିତ ଆସନ୍ତା କିଛି ଦିନରେ ମଧ୍ୟ ପାକିସ୍ତାନ ପଟୁ ଅନୁପ୍ରବେଶ ଉଦ୍ୟମ ବଢ଼ିବ ବୋଲି କୁହାଯାଉଛି । ୪ରୁ ୫ଟି ଆତଙ୍କବାଦୀ ଶିବିରରୁ ଆତଙ୍କବାଦୀମାନେ ଅନୁପ୍ରବେଶ କରିବା ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି । ଏହି ପରିପ୍ରେକ୍ଷୀରେ ସେନାମୁଖ୍ୟ ରାୱତ ଆଜି ପାକିସ୍ତାନକୁ ପୁଣିଥରେ କଡ଼ା ଚେତାବନୀ ଦେଇ କହିଛନ୍ତି, ପୁଲୱାମା ଆତ୍ମଘାତୀ ଆକ୍ରମଣ ପରେ ବାଲାକୋଟ୍‌ ବିମାନ ଆକ୍ରମଣ ‌ହୋଇଥିଲା, ଏହା ପୂର୍ବରୁ ମଧ୍ୟ ଅନ୍ୟ କିଛି କାର୍ଯ୍ୟାନୁଷ୍ଠାନ ହୋଇଥିଲା, କିନ୍ତୁ ଆଗକୁ ଯେ ସେହି ସମାନ ଧରଣର କାର୍ଯ୍ୟାନୁଷ୍ଠାନ ହେବ ତାହା ଭାବିବା ଅନୁଚିତ୍‌ ।

ଉଲ୍ଲେଖଯୋଗ୍ୟ, କଶ୍ମୀରରେ ବିଶୃଙ୍ଖଳା ସୃଷ୍ଟି କରି ପାକିସ୍ତାନ ବିଶ୍ବ ସମୁଦାୟରେ ଜଣାଇବାକୁ ଚେଷ୍ଟା କରୁଛି ଯେ ଧାରା ୩୭୦ ଉଚ୍ଛେଦ ପରେ କଶ୍ମୀର ସ୍ଥିତି ଠିକ୍‌ ନାହିଁ । ପୂର୍ବରୁ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ବାୟୁସେନା ବାଲାକୋଟ୍‌ସ୍ଥିତ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରି ତାହାକୁ ନଷ୍ଟ କରି ଦେଇଥିଲା । କିନ୍ତୁ ଏବେ ତାହା ପୁଣିଥରେ କାର୍ଯ୍ୟକ୍ଷମ ହୋଇଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe