ଜମି ବିବାଦ ପାଇଁ ଗାଁରୁ ବିତାଡ଼ିତ ହେଲେ ୧୦ ପରିବାର : ଏବେ ଶ୍ମଶାନଘାଟରେ ବିତୁଛି ଜୀବନ

Advertisment
ଜମି ବିବାଦ ପାଇଁ ଗାଁରୁ ବିତାଡ଼ିତ ହେଲେ ୧୦ ପରିବାର : ଏବେ ଶ୍ମଶାନଘାଟରେ ବିତୁଛି ଜୀବନ

କନକ ବ୍ୟୁରୋ : ଜମି ବିବାଦକୁ କେନ୍ଦ୍ର କରି ଗାଁରୁ ବିତାଡ଼ିତ ହେଲେ ୧୦ ପରିବାର । ଶ୍ମଶାନ ଘାଟ ହେଲା ଠିକଣା । ହିଡ଼ ପାଲଟିଛି ଚଲାପଥ, ତମ୍ବୁ ସାଜିଛି ଛାତ । ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ପ୍ରଶାସନ ପାଖରେ ଖବର ନାହିଁ । ସେପଟେ ବିବାଦକୁ ନେଇ ରିପୋର୍ଟ ମାଗିଛନ୍ତି ମାନବ ଅଧିକାର କମିସନ ।

ସରକାର ଦେଲେ ଇନ୍ଦିରାଆବସ, ପଡୋଶୀ ଭାଙ୍ଗି ଦେଲା ଘର । ନିଃସହାୟ ହୋଇ ଶ୍ମଶାନରେ ତମ୍ବୁ ଟାଣି ରହିଛନ୍ତି ୧୦ ପରିବାର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଳା ଜୟପୁର ବ୍ଳକ୍ର ପାଣ୍ଡ୍ରୁଗୁଡ଼ା ଗ୍ରାମରେ । ଏହି ଗାଁର ଏକ ଜମିରେ ଦୀର୍ଘ ୩୦ ବର୍ଷ ଡମୁ ଗାଦବଙ୍କ ପରିବାର ରହି ଆସୁଥିଲେ । ସେମାନଙ୍କ ପରିବାର ଦାରିଦ୍ର‌୍ୟ ସୀମାରେଖା ତଳେ ଥିବାରୁ ସରକାର ଚିହ୍ନଟ କରି ଏହି ଜମି ଉପରେ ଇନ୍ଦିରା ଆବାସ ଦେଇଥିଲେ । କିନ୍ତୁ ବତ୍ତମାନ ଏହି ଜମିକୁ ପଡୋଶୀ ସଦନ ଗାଦବା ନିଜର ବୋଲି ଦାବି କରିବା ସହ ବୁଲଡୋଜର ଲଗାଇ ଇନ୍ଦିରା ଆବାସ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।

ସେପଟେ ଏହି ଜମି ସଦନ ତାଙ୍କର କହିବା ସହ ସରକାରୀ ଅମିନ ଚିହ୍ନଟ କରିଛନ୍ତି ବୋଲି କହିଛନ୍ତି । ପୋଲିସକୁ ଜଣାଇ ଘର ଭାଙ୍ଗିଛନ୍ତି ବୋଲି କହିଛନ୍ତି । ଅନ୍ୟପଟେ ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି ମାନବାଧିକାର କମିଶନ । ତୁରନ୍ତ ତଦନ୍ତ କରି ସମସ୍ୟାର ସମାଧାନ କରିବାକୁ ଜିଲ୍ଳା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଉପଜିଲ୍ଲାପାଳ କହିଛନ୍ତି, ଏଭଳି ଜମି ବିବାଦ ନେଇ ତାଙ୍କ ପାଖରେ କୌଣସି ଖବର ନାହିଁ । ଗଣମାଧ୍ୟମରୁ ଖବର ଜାଣିବା ପରେ ତୁରନ୍ତ ତଦନ୍ତ କରି ଶ୍ମଶାନରେ ରହୁଥିବା ପରିବାରକୁ ଥଇଥାନ କରାଯିବ ।

ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ଜମି ଡମୁ ଗାଦବଙ୍କ ନାଁରେ ନଥିଲା ତେବେ ତାଙ୍କ ପରିବାରକୁ ଇନ୍ଦିରା ଆବାସ ମିଳିଲା କିପରି? ସରକାରୀ ଅଧିକାରୀ ସେ ସମୟରେ ଠିକ୍ ଭାବରେ ସର୍ଭେ କରିଥିଲେ ନା ନାହିଁ? ଯଦି କରିଥିଲେ ବର୍ତ୍ତମାନର ଜମି ମାପ କରିଥିବା ସରକାରୀ ଅମିନ୍ ଭିନ୍ନ ତଥ୍ୟ ଦେଲେ କିପରି ? ପ୍ରଶାସନିକ ଅଧିକାରୀଙ୍କ ଭୂଲ ତଥ୍ୟ ଯୋଗୁଁ ବାସହରା ହୋଇଛନ୍ତି ଗରିବ ପରିବାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe