କନକ ବ୍ୟୁରୋ : ଘୂର୍ଣ୍ଣିବଳୟ ଜନିତ ଲଗାଣ ବର୍ଷା ଫଳରେ ବାଙ୍କୀରେ ବନ୍ୟା ସ୍ଥିତି ବେହାଲ । ଏବେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ବାଙ୍କି ଏନଏସି । ବାଙ୍କି କଲେଜ ପରିସରରେ ପଶିଛି ବନ୍ୟା ପାଣି । ଫଳରେ କ୍ୱାର୍ଟର ଗୁଡିକରେ ଲୋକମାନେ ଜଳବନ୍ଦୀ ହେବା ପରେ ଘର ଛାଡି ଅନ୍ୟ ସ୍ଥାନରେ ଆଶ୍ରୟ ନେଇଛନ୍ତି । ଏନଏସିରେ ଡ୍ରେନେଜ୍ ସମସ୍ୟା ଥିବାରୁ ବନ୍ୟା ସ୍ଥିତି ଜଟିଳ ହୋଇଛି । ବର୍ଷା ଜଳ ନିଷ୍କାସିତ ହୋଇନପାରିବାରୁ ପାଣି ଏବେ ଘରେ ପଶିଛି । ଅନେକ ସ୍ଥାନରେ ଘର ଭିତରେ ଆଣ୍ଠୁଏ ଉଚ୍ଚରେ ପାଣି ରହିଛି ।
ସେପଟେ ଲଘୁଚାପ ଜନିତ ଲଗାଣ ବର୍ଷାରେ ବାଲେଶ୍ୱର ଜିଲ୍ଳାରେ ଥିବା ଜଳକା ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ବସ୍ତା ବ୍ଲକ ମଥାନୀ ଠାରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।ବିପଦ ସଙ୍କେତ ୫ଦଶମିକ ୫୦ ମିଟର ରହିଥିବା ଜଳ ସ୍ତର ବୃଦ୍ଧି ପାଇ ୬ ଦଶମିକ ୫୦ ମିଟର ଜଳ ପ୍ରବାହିତ ହେଉଛି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ତଳିଆ ଅଂଚଳର ୫ଟି ଗାଁ ଜଳବନ୍ଦି ହୋଇ ରହିଛି । ଲୋକେ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ରାସ୍ତା ଘାଟରେ ପାଣି ଜମି ରହିବା ଯୋଗୁଁ ଯୋଗାଯୋଗ ଏକ ପ୍ରକାର ବିଚ୍ଛିନ୍ନ ହୋଇ ରହିଛି । ଜଳକା ନଦୀର ଉପର ମୁଣ୍ଡ ମୟୁରଭଂଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡ଼ା, ଶୁଳିଆପଦା, ଚିତ୍ରଡ଼ା ଅଂଚଳରେ ପ୍ରବଳ ବର୍ଷା ଯୋଗୁଁ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏପରିକି ହଜାର ହଜାର ହେକ୍ଟର ଚାଷ ଜମିରେ ବର୍ଷା ପାଣି ଜମି ରହିଛି । ଲଗାଣ ବର୍ଷା ଏବଂ ନଦୀରେ ବନ୍ୟା ପରିସ୍ଥିତି ସ୍ଥାନୀୟ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି ।