୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲାରେ ରହିଛି ପ୍ରବଳ ବର୍ଷା ସମ୍ଭାବନା : ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହେଲା ସତର୍କ ସୂଚନା

23

କନକ ବ୍ୟୁରୋ :  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢ଼େଙ୍କାନାଳ ଓ ଦେବଗଡ଼ ପ୍ରଭୃତି ପାଞ୍ଚଟି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ଣରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି । ଏହି ସମୟରେ ଏହି ସମସ୍ତ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ସହ ପବନ ବୋହିବାର ମଧ୍ୟ ସମ୍ଭାବନା ରହିଛି ବୋଲି କହିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲାଗୁଡ଼ିକୁ ବାଦ୍‌ ଦେଲେ ରାଜ୍ୟର ଅନ୍ୟ କେତକ ସ୍ଥାନରେ ମଧ୍ୟ ବର୍ଷାର ସମ୍ଭାବନା ରହିଛି । ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ଆଖପାଖ ଅଞ୍ଚଳର ଆକାଶ ଅପରାହ୍ଣରେ ମେଘୁଆ ରହିବା ସହ ସନ୍ଧ୍ୟା ସମୟରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦକ୍ଷିଣ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାର ବ୍ୟାପକ ଅଞ୍ଚଳରେ ବର୍ଷା ହୋଇ ଯାଇଥିବା କହିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ ର। ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୪.୭ ଡିଗ୍ରି ସେଲସିୟସ୍‌ ଓ ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରି ସେଲସିୟସ୍‌ ଅନୁଗୁଳ ଠାରେ ରେକର୍ଡ କରାଯାଇଥିଲା । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ଧୀବରମାନଙ୍କ ପାଇଁ ପାଣିପାଗ ଜନିତ ସେପରି କୌଣସି ବିଶେଷ ସୂଚନା ନାହିଁ ।