କନକ ବ୍ୟୁରୋ : ଲଗାଣ ବର୍ଷାରେ ପୁଣି ଭାସିଲା ମାଲାକାନଗିରି । ଲଗାଣ ବର୍ଷା ଯୋଗୁଁ ବାହ୍ୟଜଗତରୁ ବିଛିନ୍ନ ହୋଇଛି ମାଲକାନଗିରି ଜିଲ୍ଲା । ପ୍ରବଳ ବର୍ଷା ଯୋଗୁଁ ପୋଟେରୁ, କାଙ୍ଗୁରକୋଣ୍ଡା ପୋଲ ଉପରେ ୩ରୁ ୫ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ ହୋଇଛି । ସେହିପରି କୋରୁକୋଣ୍ଡା ଓ ତାଲାକୋଟା ପୋଲ ଉପରେ ବନ୍ୟା ପାଣି ପ୍ରବାହିତ ହେଉଛି । ମାଲକାନଗିରି ବାଲିମେଳାକୁ ଯୋଗାଯୋଗ ବିଛିନ୍ନ ହୋଇଛି । ବିଭିନ୍ନ ସ୍ଥାନରେ ଅଗ୍ନିଶମ ଓ ଓଡ୍ରାଫ ଟିମ୍ ମୁତୟନ କରାଯାଇଛି । ବନ୍ୟା ସମ୍ଭାବିତ ଅଂଚଳରେ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଛନ୍ତି । ସାବେରୀ ନଦୀ ମଧ୍ୟ ଫୁଲି ମୋଟୁ ଅଂଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସେହିପରି କାଲିମେଳାରେ ପ୍ରବଳ ବର୍ଷା ଲାଗିରହିଛି । ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବନ୍ୟା ଜଳ ପ୍ରଭାହିତ ହେଉଛି । ଫଳରେ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି କାଲିମେଳା । ପାଣିପାଗ ବିଭାଗ ପକ୍ଷରୁ ମାଲକାନଗିରି ଜିଲ୍ଲାରେ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା ପାଇଁ ସ୍କୁଲ କଲେଜ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।

Advertisment

କନ୍ଧମାଳ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିବା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ଯୋଗୁଁ ୫୯ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଡାଇଭର୍ସନ ଧୋଇଯିବା ସହ ଯୋଗଯୋଗ ବିଛିନ୍ନ ହୋଇଛି । କନ୍ଧମାଳକୁ କୋରାପୁଟ, କଳାହାଣ୍ଡି, ରାୟଗଡା ଓ ନବରଙ୍ଗପୁରକୁ ଯୋଗାଯୋଗ ବିଛିନ୍ନ ହୋଇଛି । କନ୍ଧମାଳ ଜିଲ୍ଳାରେ ପ୍ରବାହିତ ରାହୁଲ, ଉତେଇ, ଚାଉଳଧୁଆ ନଦୀରେ ବନ୍ୟା ପାଣି ଆସିବାରୁ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି ।

ସେପଟେ ରାୟଗଡାରେ ଲଗାଣ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ ପୋଲ ଧୋଇଯିବା ସହ ନଦୀ ଗୁଡିକ ଫୁଲିବାରେ ଲାଗିଛି । ଏପରିକି ଅମ୍ବାଦଳା ନିକଟରେ ରେଳ ଧାରଣା ଧୋଇଯାଇଛି । ପାଣିର ସ୍ରୋତ ଯୋଗୁଁ ରେଳ ଧାରଣାରେ ଥିବା ଏକ ମାଲବାହି ଟ୍ରେନର ତିନୋଟି ବଗି ଭାସି ଯାଇଛି । ଫଳରେ ଟିଟିଲାଗଡ - ରାୟଗଡା ମଧ୍ୟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ପରିସ୍ଥିତିକୁ ନଜରରେ ରଖି ଏହି ରୁଟର ସମସ୍ତ ଟ୍ରେନକୁ ବାତିଲ କରାଯାଇଛି ।

ଗୁଣୁପୁରରେ ଫୁଲୁଛି ବଂଶଧାରା ନଦୀ । ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି । ଏବେ ନଦୀର ଜଳସ୍ତର ୮୪ ଦଶମିକ ୬୩ ମିଟର ଉପରେ ପ୍ରଭାବିତ ହେଉଛି । ଗୁଣୁପୁର ଠାରେ ବଂଶଧାରା ନଦୀର ଜଳସ୍ତର ସତର୍କ ସଂକେତ ୮୩.୦୦ ଥିବା ବେଳେ ଏବେ ଜଳସ୍ତର ୮୪ ଦଶମିକ ୬୩ ମିଟର ଉପରେ ରହିଛି । ଉପର ମୁଣ୍ଡରେ ବର୍ଷା ଜାରି ରହିଥିବାରୁ ନଦୀର ଜଳସ୍ତର ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି । ଗୁଣୁପୁର ଠାରେ ୯୭ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି ।