କନକ ବ୍ୟୁରୋ : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ୱେଲମାର୍କ ଲୋ-ପ୍ରେସର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଜାରି ରହିଛି । ଉପକୂଳରୁ ପଶ୍ଚିମ ଓଡ଼ିଶା ହେଉ ଅଥବା ଉତ୍ତରରୁ ଦକ୍ଷିଣ, ଗତ ୩୬ ଘଣ୍ଟା ମଧ୍ୟରେ ସବୁ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ଏବଂ ସ୍ଥାନେ ସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ଏଥିସହ ଆସନ୍ତା ୯ ତାରିଖ ବେଳକୁ ଉତ୍ତର କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏକାଧିକ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଆଜି ପୁଣି ଥରେ ସ୍ବତନ୍ତ୍ର ରିଲିଫ କମିସନର (ଏସ୍ଆର୍ସି) ପ୍ରଦୀପ କୁମାର ଜେନା ସତର୍କ କରାଇଛନ୍ତି।
ଓଡ଼ିଶା ଉପକୂଳରେ ଗୁରୁବାର ପୂର୍ବାହ୍ନ ପରେ ରାଜ୍ୟରେ ବର୍ଷା ପରିମାଣ କମିବ। ୭ ତାରିଖ ସକାଳ ସୁଦ୍ଧା ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଅଳ୍ପ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ୮ ତାରିଖରେ ବର୍ଷା ହେବାର ସମ୍ଭାବନା କମ୍ ରହିଛି। ୯ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ରାଜ୍ୟରେ ପୁଣିଥରେ ବର୍ଷା ପରିମାଣ ବଢ଼ିବ ବୋଲି ଆକଳନ କରାଯାଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍ ଆର ବିଶ୍ବାସଙ୍କ କହିବାନୁଯାୟୀ, ଏବେ ସୁଦ୍ଧା ୧୧ ପ୍ରତିଶତ କମ୍ ବର୍ଷା ହୋଇଛି। ୧୯ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୧୧ଟି ଜିଲ୍ଲାରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇଛି। ସ୍ବାଭାବିକଠାରୁ କମ୍ ବର୍ଷା ହୋଇଥିବା ଭଦ୍ରକ ଓ କେନ୍ଦୁଝର ଜିଲ୍ଲାରେ ବର୍ଷା ପରିମାଣ ଆଜି ସ୍ବାଭାବିକ ସ୍ଥିତିକୁ ଫେରିଛି। ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବାରୁ ନିଅଣ୍ଟିଆ ବର୍ଷା ପରିମାଣ କମିଛି।
ମଙ୍ଗଳବାର ସକାଳ ୮ଟା ୩୦ରୁ ବୁଧବାର ସକାଳ ୮ଟା ୩୦ ମଧ୍ୟରେ ସମ୍ବଲପୁରର ଜୁଜୁମୁରାଠାରେ ରାଜ୍ୟର ସର୍ବାଧିକ ବର୍ଷା ୨୯ ସେମି ରେକର୍ଡ କରାଯାଇଛି। ଏହାବ୍ୟତୀତ ବୌଦ୍ଧଗଡ଼ର ଖଇରାମାଳରେ ୧୮, ସୋନପୁରରେ ୧୭, କଟକର କଣ୍ଟାପଡ଼ାରେ ୧୭, ପୁରୀର ଗୋପ, କାକଟପୁର, ଅସ୍ତରଙ୍ଗ ଓ ଭୁବନେଶ୍ବରରେ ୧୫ ସେମି ଲେଖାଏଁ ବର୍ଷା ହୋଇଛି। ଖୋର୍ଧା ଜିଲ୍ଲାର ବାଲିପଟଣା, କେନ୍ଦ୍ରାପଡ଼ାର ମାର୍ଶାଘାଇ, କେନ୍ଦୁଝରର ତେଲକୋଇଠାରେ ୧୪ ସେମି ଲେଖାଏଁ ଓ ପୁରୀ ଜିଲ୍ଲାର ପିପିଲି, ଭଦ୍ରକର ତିହିଡ଼ି, କଟକର ବାଙ୍କି, ସମ୍ବଲପୁରର ରେଢ଼ାଖୋଲ, ଢେଙ୍କାନାଳର ଭୁବନଠାରେ ୧୩ ସେମି ଲେଖାଏଁ ବର୍ଷା ହୋଇଛି। ତେବେ ଗତ ୩୬ ଘଣ୍ଟା ମଧ୍ୟରେ ସୋନପୁରରେ ସର୍ବାଧିକ ୧୭୩ ମିମି ବର୍ଷା ହୋଇଥିବା ବେଳେ ଭୁବନେଶ୍ବରରେ ୧୫୩.୨, ଚାନ୍ଦବାଲିରେ ୧୧୭, ତାଳଚେରରେ ୧୧୩ ମିମି ବର୍ଷା ରେକର୍ଡ କରାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/EbrKHBrWkAE1ihm-750x430-1.jpg)