ଆଜି ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

3,747

କନକ ବ୍ୟୁରୋ :  ଉତ୍ତର ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ଏହା ସଂଲଗ୍ନ ଅଞ୍ଚଳରେ ରହିଛି । ଫଳରେ ଗତ ଦୁଇଦିନ ହେଲା ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଆସନ୍ତାକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ମୟୂରଭଞ୍ଜ ଓ ଯାଜପୁର ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ। ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାପରେ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ୨୫ ତାରିଖ ଦିନ ରାଜ୍ୟର କିଛି କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ବର୍ଷା ହୋଇପାରେ।

ଘୂର୍ଣ୍ଣିବଳୟ ପ୍ରଭାବରେ ଗତ ୨୪ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରାୟ ସ୍ଥାନରେ ବର୍ଷା ହୋଇଥିବା ବେଳେ ଉପକୂଳ ଅଞ୍ଚଳରେ ଅନେକ ସ୍ଥାନରେ ବର୍ଷା ହୋଇଛି। ଗତ ୨୪ଘଣ୍ଟାରେ ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗୀରର ବେଲଗାଁରେ ଅତିପ୍ରବଳ ବର୍ଷା ରେକର୍ଡ କରାଯାଇଛି। କୁଚିଣ୍ଡାରେ ସର୍ବାଧିକ ୧୯୫.୦ ମିମି ହୋଇଥିବା ବେଳେ ବେଲଗାଁରେ ୧୩୮.୦ ମିମି ବର୍ଷା ରେକର୍ଡ କରାଯାଇଛି। ଏହାଛଡ଼ା ସୁନ୍ଦରଗଡ଼ ୧୦୮ ମିମି, ମୟୂରଭଞ୍ଜର ଚନ୍ଦନପୁରରେ ୧୦୩.୮ ମିମି, ଝାରସୁଗୁଡ଼ାର ଲାଇକିରାରେ ୧୦୩ମିମି, କଳାହାଣ୍ଡି କେସିଙ୍ଗାରେ ୧୦୨ମିମି, ସମ୍ବଲପୁର ଯୁଜୁମୁରାରେ ୯୭ମିମି, ଟିଟିଲାଗଡ଼ରେ ୯୭ମିମି, ଝାରସୁଗୁଡ଼ାର କିରମୀରାରେ ୯୦ମିମି, କଳାହାଣ୍ଡି ଏମ.ରାମପୁରରେ ୯୦ମିମି, ଝାରସୁଗୁଡ଼ା କୋଲାବିରାରେ ୮୯ମିମି, କଳାହାଣ୍ଡି ନର୍ଲାରେ ୮୧ମିମି, ଲାଞ୍ଜିଗଡ଼ରେ ୭୯.୨ମିମି ଓ ନୂଆପଡ଼ାର ଖରିଆରରେ ୬୭.୮ ମିମି ବର୍ଷା ରେକର୍ଡ କରାଯାଇଛି।

୧ରୁ ୨୧ଜୁନ୍‌ ମଧ୍ୟରେ ରାଜ୍ୟରେ ୧୭୨.୪ମିମି ବର୍ଷା ରେକର୍ଡ କରାଯାଇଛି, ଯାହାକି ସ୍ୱାଭାବିକ ୧୨୬.୬ ମିମିଠାରୁ ୩୬ପ୍ରତିଶତ ଅଧିକ। ୨୧ଜୁନ୍‌ ସୁଦ୍ଧା କେନ୍ଦ୍ରାପଡ଼ା ଏବଂ ଯାଜପୁର ଜିଲ୍ଲାରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହୋଇଛି। ଯାଜପୁରରେ ସ୍ୱାଭାବିକଠାରୁ ୨୧ପ୍ରତିଶତ ଓ କେନ୍ଦ୍ରାପଡ଼ାରେ ୩୮ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ବାଲେଶ୍ୱର, କଟକ, ଖୋର୍ଦ୍ଧା, ଜଗତ୍‌ସିଂହପୁର, ପୁରୀ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଏବଂ ନବରଙ୍ଗପୁର ଜିଲ୍ଲାରେ ଆଜି ସୁଦ୍ଧା ସ୍ୱାଭାବିକ ବର୍ଷା ହୋଇଛି। ମୟୂରଭଂଜ, ଭଦ୍ରକ, କେନ୍ଦୁଝର, ଅନୁଗୁଳ, ନୟାଗଡ଼, କଳାହାଣ୍ଡି, କନ୍ଧମାଳ, ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ବରଗଡ଼ ଜିଲ୍ଲାରେ ଆଜି ସୁଦ୍ଧା ସ୍ୱାଭାବିକଠାରୁ ଅଧିକ (-୨୦ ରୁ +୫୯ ପ୍ରତିଶତ) ବର୍ଷା ହୋଇଛି। ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଆଜି ସୁଦ୍ଧା ସ୍ୱାଭାବିକଠାରୁ ଅତ୍ୟଧିକ (+୬୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ) ବର୍ଷା ହୋଇଥିବା ରେକର୍ଡ କରାଯାଇଛି।