କନକ ବ୍ୟୁରୋ : ଜୁୁନ୍ ୬ କିମ୍ବା ୭ ତାରିଖରେ ଓଡ଼ିଶା ଛୁଇଁପାରେ ମୌସୁମୀ । ଦକ୍ଷିଣ ଓଡ଼ିଶା ଦେଇ ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ କରିବା ସମ୍ଭାବନା ଅଧିକ । ପ୍ରଥମେ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ମାଲକାନଗିରି ଉପକୂଳରେ ବର୍ଷା କରାଇବ ଓ ତା’ ପରେ ଓଡ଼ିଶା ଉପକୂଳ ଆଡ଼କୁ ଅଗ୍ରସର ହେବ । କିଛି ଘଣ୍ଟା ମଧ୍ୟରେ ପୁରୀ, ଖୋର୍ଧା, କଟକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାକୁ ମୌସୁମୀ ଛୁଇଁବ । ଏହାର ଗୋଟିଏ ଦିନ ପରେ ଅର୍ଥାତ୍ ୭ କିମ୍ବା ୮ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ମୌସୁମୀ ବାୟୁ ପ୍ରବେଶ କରିଯିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦେଶର କେଉଁ ଅଞ୍ଚଳରେ କେତେ ବର୍ଷା ହେବ ସେ ନେଇ ଆଜି ପୂର୍ବାନୁମାନ କରାଯାଇଛି । ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ସାରା ଦେଶରେ ୯୭ ପ୍ରତିଶତ ବର୍ଷା ହେବ, ଯାହାକି ସ୍ୱାଭାବିକ ବୋଲି ବିଭାଗ କହିଛି । କେନ୍ଦ୍ର ଭାରତରେ ୯୯ ପ୍ରତିଶତ ବର୍ଷା ହେବ ଓ ଉତ୍ତର-ପଶ୍ଚିମ ରାଜ୍ୟଗୁଡ଼ିକରେ ଶହେ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର-ପୂର୍ବାଞ୍ଚଳରେ ଟିକିଏ କମ୍ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଉତ୍ତର-ପୂର୍ବାଞ୍ଚଳରେ ୯୩ ପ୍ରତିଶତ ବର୍ଷା ହୋଇପାରେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜୁଲାଇ ମାସରେ ଭାରତରେ ୧୦୧ ପ୍ରତିଶତ ଓ ଅଗଷ୍ଟରେ ୯୪ ପ୍ରତିଶତ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।
ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ପ୍ର୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଏଥର ଓଡ଼ିଶାରେ ଭଲ ବର୍ଷା ହେବ । ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ଶହେ ପ୍ରତିଶତରୁ ଅଧିକ ବର୍ଷା ହୋଇପାରେ । ଜୁନ୍ ୫ କିମ୍ବା ୬ରେ ରାଜ୍ୟରେ ମୌସୁମୀ ବର୍ଷା ହୋଇପାରେ । ପ୍ରାରମ୍ଭିକ ଭାବେ ଉପକୂଳବର୍ତୀ ଅଞ୍ଚଳରେ ଅଧିକ ବର୍ଷା ହେବ । ଜୁନ୍ ଦ୍ୱିତୀୟ ସପ୍ତାହରେ ଲଘୁଚାପ ଜନିତ ଅଧିକାଂଶ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ଜୁନ୍ ଓ ଜୁଲାଇ ମାସରେ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ସ୍ୱାଭାବିକ୍ଠାରୁ କମ୍ ବର୍ଷା ହୋଇପାରେ । କିନ୍ତୁ ଉତ୍ତର ଓଡ଼ିଶାରେ ଉଭୟ ଜୁନ୍ ଓ ଜୁଲାଇ ମାସରେ ସ୍ୱାଭାବିକ ଓ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ । ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସାରା ରାଜ୍ୟରେ ସ୍ୱାଭାବିକ ବର୍ଷା ରହିବ । ଚଳିତ ବର୍ଷର ବର୍ଷା ଚାଷୀଙ୍କ ପାଇଁ ଅନୁକୂଳ ରହିବାର ସମ୍ଭାବନା ରହିଛି ।