ରାଜ୍ୟରେ ବର୍ଷା ବିତ୍ପାତ । ଆଜି ବି ପ୍ରବଳରୁ ଅତିପ୍ରବଳ ବର୍ଷିବ । ୧୦ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ । ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ସମ୍ଭାବନା ଅଧିକ

1,188

କନକ ବ୍ୟୁରୋ : ରାଜ୍ୟର ଉତ୍ତର ଓ ପୂର୍ବ ଉପକୂଳ ସଂଲଗ୍ନ ୧୦ଟି ଜିଲ୍ଲା ଅର୍ଥାତ୍ ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ବୌଦ୍ଧ, କଟକ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୦ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସ୍ଥଳବିଶେଷରେ କିଛି ସ୍ଥାନରେ ଏହାଠାରୁ ଢେର୍ ଅଧିକ ବର୍ଷା ହୋଇପାରେ। ଏସବୁ ଜିଲ୍ଲା ପା​ଇଁ ଭାରତର ପାଣିପାଗ ବିଭାଗ ରେଡ଼୍‌ ଵାର୍ଣ୍ଣିଂ ଜାରି କରିଛନ୍ତି।

ସୁନ୍ଦରଗଡ, ଦେବଗଡ, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହ ଭୂସ୍ଖଳ ହେବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। କଟକ ଓ ଭୁବନେଶ୍ବରରେ ମଧ୍ୟ ଭୀଷଣ ବର୍ଷା (ଅରେଞ୍ଜ ଵାର୍ଣ୍ଣିଂ) ହୋଇପାରେ। ବୁଢାବଳଙ୍ଗ, ବୈତରଣୀ ନଦୀ ଉଛୁଳି ବଡ଼ ବନ୍ୟା ଆଣିବା ଭୟ ବି ରହିଛି। କେବଳ ସେତିକି ନୁହେଁ, କେନ୍ଦୁଝର, ଦେବଗଡ, ସମ୍ବଲପୁର, କନ୍ଧମାଳ, କଳାହାଣ୍ଡି, ପୁରୀ,ଖୋର୍ଧା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବି ପ୍ରବଳରୁ ଅତି ପ୍ରବଳ ଅର୍ଥାତ୍ ୧୦୦ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏସବୁ ଜିଲ୍ଲାକୁ ଆସନ୍ତାକାଲି ପର୍ଯ୍ୟନ୍ତ ଅରେଞ୍ଜ ଵାର୍ଣ୍ଣିଂ ଜାରି କରାଯାଇଛି।

ପାଣିପାଗ ବିଭାଗର ଏଭଳି ପୂର୍ବାନୁମାନ ପରେ ଆଜି ସ୍ବତନ୍ତ୍ର ରିଲିଫ୍ କମିସନର ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି। ନିର୍ଦେଶ ଦିଆଯାଇଛି ଯେ ବିଡ଼ିଓ ଓ ତହସିଲଦାରଙ୍କ ଠାରୁ ଆରମ୍ଭକରି ଅଗ୍ନିଶମ ବିଭାଗ, ଓଡ୍ରାଫ୍, ଏନ୍‌ଡ଼ିଆର୍‌ଏଫ୍ ସମସ୍ତେ ସଜାଗ ରହିବେ। ପୂର୍ତ ବିଭାଗ, ନଗର ଉନ୍ନୟନ, ଡ୍ରେନେଜ୍, ଜଳସଂପଦ, ଗ୍ରାମ୍ୟ ଉନ୍ନୟନ ବିଭାଗ ମଧ୍ୟ ପରିସ୍ଥିତି ଉପରେ ନଜର ରଖି ତତ୍କାଳ ପଦକ୍ଷେପ ନେବେ। କିଛି ସ୍ଥାନ ଜଳବନ୍ଦୀ ହୋଇପାରେ, ଛୋଟ ଛୋଟ ନାଳ ଭୀଷଣ ରୂପ ଧାରଣ କରି କ୍ଷତି ପହଞ୍ଚାଇପାରନ୍ତି।

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମମୁହାଁ ହେବା ସହ ଅଧିକ ଘନୀଭୂତ ହେଇ ଅବପାତର ରୂପ ନେବ। ଏହାର ପ୍ରଭାବରେ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ଭୀଷଣ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ୨୨ ତାରିଖ ପର୍ଯ୍ୟନ୍ତ ବର୍ଷାର ପ୍ରକୋପ ଟିକିଏ ଅଧିକ ରହିବ। ପାଣିପାଗ ବିଭାଗ ଆହୁରି ଆଗୁଆ ଆଜି ସତର୍କ କରାଇ ଦେଇଛି ଯେ ଆସନ୍ତା ୨୩ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା କେତେ ପ୍ରଭାବିତ କରିବ, କିଭଳି ରୂପ ନେବ, ଏସବୁ ସଂପର୍କରେ କିନ୍ତୁ ପାଣିପାଗ ବିଭାଗ ଏଯାଏ କୌଣସି ସୂଚନା ଦେଇନାହିଁ। ତେବେ ୨୨ ରୁ ୨୪ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା କୁହାଯାଉଛି।

ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି ଯେ ଆସନ୍ତାକାଲି ସୁଦ୍ଧା କଟକ ଓ ଭୁବନେଶ୍ବରେ ଘଣ୍ଟା ପ୍ରତି ୨ରୁ ୩ ସେଣ୍ଟିମିଟର ବର୍ଷା ହୋଇପାରେ। ଏହି ସମୟ ମଧ୍ୟରେ ୭ରୁ ୨୦ ସେମି ଯାଏ ବର୍ଷା ହେବା ବିଚିତ୍ର ନୁହେଁ। ଟ୍ରାଫିକ୍ ଜାମ୍‌ ହୋଇପାରେ, ରାସ୍ତାରେ ଭୀଷଣ ବର୍ଷା କାରଣରୁ ବେଶି ଦୂର ଯାଏ ଦେଖାନଯିବା ସମସ୍ୟା ସୃଷ୍ଟି ହେବା ଆଶଙ୍କାକୁ ଏଡାଇ ଦେଇ ହେବନାହିଁ। ଆବଶ୍ୟକ ନଥିଲେ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ରାସ୍ତା କଡରେ ଚାଲୁଥିଲେ ମ୍ୟାନହୋଲ ଓ ଖୋଲା ପଡିଥିବା ବିଦ୍ୟୁତ ତାରଠୁ ଦୂରେଇ ରହିବାକୁ ସତର୍କ କରାଇ ଦିଆଯାଇଛି। ସେହିଭଳି ତଳିଆ ଅଞ୍ଚଳରେ ପାଣି ଜମିବ ବୋଲି ସତର୍କ କରାଯାଇଥିବାରୁ ନଗର ଉନ୍ନୟନ ବିଭାଗ ଜଳ ନିଷ୍କାସନ ପାଇଁ ସଜାଗ କରିଛି।

ପାଣିପାଗ ବିଭାଗ ଆହୁରି କହିଛି ଯେ ଆସନ୍ତାକାଲି ମଧ୍ୟାହ୍ନ ପରଠାରୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କ‌ଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ସେତେବେଳକୁ ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଓ ବୌଦ୍ଧ ଜିଲ୍ଲାର କିଛି କିଛି ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଥିବ। ଏହି ସମୟରେ ଉତ୍ତର ବଙ୍ଗୋପସାଗରର ଓଡ଼ିଶା ଉପକୂଳରେ ୪୫-୫୫ କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ାରେ ସର୍ବାଧିକ ୬୩ ମିିମି, ଜଗତସିଂହପୁରରେ ୬୨.୮ ମିମି, ବାଲେଶ୍ବରରେ ୪୯ମିମି, ମୟୂରଭଂଜରେ ୪୨ମିମି ଓ ପୁରୀରେ ୩୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିଭଳି ବାଲେଶ୍ବର ଜିଲ୍ଲାର ବାଲିଆପାଳ ବ୍ଲକରେ ୧୬୫ ମିମି, ଜଳେଶ୍ବରରେ ୧୧୫ମିମି, କଟକ କଣ୍ଟାପଡ଼ାରେ ୧୧୧ ମିମି, କେନ୍ଦ୍ରାପଡ଼ା ମାର୍ଶାଘାଇରେ ୧୧୪ମିମି, ମହାକାଳପଡାରେ ୧୧୫ମିମି, ମୟୂରଭଂଜର ରାସଗୋବିନ୍ଦପୁରରେ ୧୨୩ ମିମି, ଶୁଳିଆପଦାରେ ୧୧୦ ମିମି ଓ ବାଙ୍ଗିରିପୋଷିରେ ୧୦୩ ମିମି ବର୍ଷା ହୋଇଥିବା ପାଣିପାଗ ବିଭାଗ କହିଛି।