କନକ ବ୍ୟୁରୋ : ଉତ୍ତର ଓଡ଼ିଶାର ଉତ୍ତରପଶ୍ଚିମ ବଙ୍ଗୋପସାଗର- ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଗତକାଲି ଗଭୀର ଅବପାତରେ ପରିଣତ ହୋଇଛି । ଏହା ପ୍ରଭାବରେ ଗୁରୁବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବା ବେଳେ ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ବରଗଡ଼, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ଏବେ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୪କିମି ବେଗରେ ଗତି କରୁଥିବା ବେଳେ ଏହା ପ୍ରଭାବରେ ଶୁକ୍ରବାରଠାରୁ ରାଜ୍ୟରେ କାଁ ଭାଁ ସ୍ଥାନରେ ବର୍ଷା ହେବ ।
ଗୁରୁବାର ସକାଳ ୮ଟା ୩୦ ସୁଦ୍ଧା ସମ୍ବଲପୁର, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, ବରଗଡ଼, ଦେବଗଡ଼, ସୁନ୍ଦରଗଡ଼, କଟକ, ଢେଙ୍କାନାଳ, ଅନୁଗୁଳ, ଯାଜପୁର, କେନ୍ଦ୍ରାପଡ଼ାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଏହାବାଦ୍ ରାଜ୍ୟର ବାକି ସ୍ଥାନରେ ବି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଏହାପରେ ରାଜ୍ୟରେ ବର୍ଷାର ପରିମାଣ କମିବ। କିନ୍ତୁ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ଅଛି।