ମୁମ୍ବାଇରେ ଜଳ ପ୍ରଳୟ : ସ୍କୁଲ କଲେଜ ବନ୍ଦ, ଟ୍ରେନ୍ ଓ ଫ୍ଲାଇଟ୍ ରଦ୍ଦ

123

କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ ଅଟକିଗଲା ମାୟାନଗରୀ । ମୁମ୍ବାଇରେ ଜଳ ପ୍ରଳୟ । ଲଗାତର ବର୍ଷା ଯୋଗୁଁ ଏକ ପ୍ରକାର ଜଳବନ୍ଦୀ ହୋଇଯାଇଛି ମୁମ୍ବାଇ । ସବୁବେଳେ ଚଳଚଞ୍ଚଳ ମୁମ୍ବାଇ ସହରରେ ଏବେ ସବୁଆଡେ ପାଣି ଓ ପାଣି । ମଙ୍ଗଳବାର ବିଳମ୍ବିତ ରାତ୍ରିରୁ ହେଉଥିବା ଲଗାତର ବର୍ଷାରେ ବେହାଲ ହୋଇଯାଇଛି ମୁମ୍ବାଇ ସହର । ପ୍ରବଳ ବର୍ଷା ଫଳରେ ବିମାନ, ରେଳ ଓ ଗାଡି ଚଳାଚଳ ପ୍ରଭାବିତ ହୋଇଛି । ଏହାସହ ତଳିଆ ଅଂଚଳରେ ଆଣ୍ଠୁଏ ଲେଖାଏଁ ପାଣି ଜମିରହିଛି । ଅନ୍ୟପଟେ ସମୁଦ୍ରରେ ଉଚ୍ଚ ଜୁଆର ଆସିବାର ଆଶଙ୍କା ହେଉଛି ।

ମୁମ୍ବାଇରେ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ରାସ୍ତା, ହସ୍ପିଟାଲ ଓ ରେଳଷ୍ଟେସନ ଜଳାର୍ଣ୍ଣବ । ଲୋକଙ୍କର ଦୁର୍ଦ୍ଦଶା ଆହୁରି ବଢ଼ିଛି । ବର୍ଷାକୁ ଦୃଷ୍ଟିରେ ରଖି ସରକାର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଓ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ପାଣିପାଗ ବିଭାଗ ଅନୁସାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି । ସଡ଼କ ଗୁଡ଼ିକ ଜଳାର୍ଣ୍ଣବ ହୋଇଥିବାରୁ ଗମନାଗମନ ପ୍ରଭାବିତ ହୋଇଛି । ମୁମ୍ବାଇ ଓ ଆଖପାଖ ଅଂଚଳରେ ବର୍ଷା ଯୋଗୁଁ ସ୍ଥିତି ଦେଖି ସୁରକ୍ଷିତ ଭାବେ ଯିବାଆସିବା କରିବାକୁ ପୋଲିସ ପରାମର୍ଶ ଦେଇଛି । ରେଳବାଇ ପକ୍ଷରୁ କିଛି ଟ୍ରେନ ଗୁଡ଼ିକୁ ବାତିଲ କରି ଦିଆଯାଇଛି । ପାଖାପାଖି ୮ଟି ପ୍ରମୁଖ ଟ୍ରେନକୁ ବାତିଲ କରି ଦିଆଯାଇଛି । ରେଳବାଇ ଅତିରିକ୍ତ ବସ ଚଳାଇବା ପାଇଁ ବିଏମସିକୁ କହିଛି ।

ସେପଟେ ମୁମ୍ବାଇ ମାଲଡାର ପିମ୍ପିରିପଡା ଅଂଚଳ ସ୍ଥିତ ଏକ କଂପାଉଣ୍ଡର ପାଚେରି ବସ୍ତି ଉପରେ ଭୁଶୁଡି ପଡିଛି । ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ଖବର ପାଇ ତୁରନ୍ତ ଏନଡିଆରଏଫ ଟିମ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ତେବେ ଲଗାଣ ବର୍ଷା ଉଦ୍ଧାର କାର୍ଯ୍ୟରେ ବାଧକ ସାଜିଥିବା କହିଛି ବ୍ରିହାନ ମୁମ୍ବାଇ ମୁନସିପାଲ କର୍ପୋରେସନ ।

ସେହିପରି ପୁଣେର କାତ୍ରଜ ଅଂଚଳରେ ମଧ୍ୟ କାନ୍ଥ ଭୁଶୁଡି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସିଂହଗଡ କଲେଜର ପାଚେରୀ ଶୋଇଥିବା ଶ୍ରମିକଙ୍କ ଉପରେ ଭୁଶୁଡି ପଡିବାରୁ ୯ ଜଣଙ୍କ ଜୀବନ ଯାଇଛି । ଖବର ପାଇ ରାତି ୧ଟାରୁ ଦମକଳ ବାହିନୀ ଓ ଏନଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ବର୍ତମାନ ସୁଦ୍ଧା ଭଗ୍ନାବଶେଷରୁ ୯ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଆହୁରି ମୃତକଙ୍କ ସଂଖ୍ୟା ବଢିବା ଆଶଙ୍କା ରହିଛି । ମୃତ ଶ୍ରମିକଙ୍କ ଘର ଉତରପ୍ରଦେଶରେ ବୋଲି ଜଣାପଡିଛି ।