ଲଗାଣ ବର୍ଷାରେ ଉବୁଟୁବୁ କଟକ : ଜଳାବର୍ଣ୍ଣ ହେଲା ପୁରା ସହର, ତଳିଆ ଅଞ୍ଚଳରେ ପଶିଲା ପାଣି

232

କନକ ବ୍ୟୁରୋ : ଡହଡହ ଖରା ପରେ ମୌସୁମୀ ବର୍ଷାକୁ ସମେସ୍ତ ଅନେଇ ବସିଥିଲେ । ହେଲେ ଏବେ ଲଗାଣ ବର୍ଷା ନାକେଦମ୍ କଲାଣି । ଲଗାଣ ବର୍ଷା ଯୋଗୁଁ ବେହାଲ ହେଲା କଟକ ସହର । ଚାରିଆଡ଼େ ଛୁଟୁଛି ପାଣିର ସୁଅ । ସହରର ବିଭିନ୍ନ ସାହିରେ ପାଣି ଲହରି ମାରୁଛି । ବିଶେଷ କରି ସହରର ତଳି ଅଞ୍ଚଳର ଅନେକ ଲୋକେ ପାଣି ଘେରରେ ରହି ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ରାସ୍ତା ଓ ଜଳାଶୟ ଏକାକାର। ଲୋକଙ୍କ ଘରେ ପାଣି ପଶିଛି । ବର୍ଷା ଯୋଗୁଁ ଘରୁ ବାହାରିବା ଅସମ୍ଭବ ହୋଇପଡିଛି । ଜଳବନ୍ଦୀ ସ୍ଥିତରେ ଅଛନ୍ତି ଲୋକେ । ରାସ୍ତାରେ ଗାଡ଼ି ଚଳାଇବା କଷ୍ଟକର ହୋଇପଡ଼ିଛି । ବର୍ଷା ସହରର ଲୋକଙ୍କ ଜୀବନଯାତ୍ରା ଠପ୍ କରିଦେଇଛି । ଚାରିଆଡେ ପାଣିର ସୁଅ । ରାସ୍ତାରେ ବୋହିଛି ଡ୍ରେନ୍ ପାଣି ।

ସେପଟେ ସାରା ରାଜ୍ୟରେ ଜାରି ରହିଛି ବର୍ଷା । ୨୪ଘଂଟା ମଧ୍ୟରେ କଟକରେ ସର୍ବାଧିକ ୧୩୪ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି କୋରାପୁଟରେ ବି ୧୦୮ମିଲିମିଟର ବର୍ଷା ହୋଇଛି । ଭୁବନେଶ୍ୱର ସମେତ ଅନୁଗୁଳ, ଦେବଗଡ, ସମ୍ବଲପୁର, ପୁରୀ, ଭବାନୀପାଟଣା, ମାଲକାନଗିରି, ଝାରସୁଗୁଡା, କେନ୍ଦୁଝରରେ ବି ଲଗାତର ବର୍ଷା ହୋଇଛି । ଆସନ୍ତା ୩୬ ଘଂଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ବି ଆକଳନ କରାଯାଇଛି । ଓଡିଶା ପାଇଁ ଅରେଂଜ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।