ଜଳବନ୍ଦୀ ବଲାଙ୍ଗୀର : ପୁଣି ଘରେ ପଶିଲା ପାଣି : ସେପଟେ ମାଲକାନଗିରି କାଲିମେଳା କାଙ୍ଗୁରକୋଣ୍ଡା ପୋଲ ଉପରେ ବହୁଛି ୨ଫୁଟ ଉଚ୍ଚର ପାଣି 

445
କନକ ବ୍ୟୁରୋ : ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର ସହର । ପ୍ରବଳ ବର୍ଷା ଯୋଗୁଁ ଆଜି ପୁଣି ସହରର ବିଭିନ୍ନ ସ୍ଥାନରେ ଘର ଭିତରେ ପାଣି ପଶି ଯାଇଛି । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ରାସ୍ତା ଉପରେ ମଧ୍ୟ ପାଣିର ସ୍ରୋତ ଚାଲିଛି । ରାସ୍ତା ଉପରେ ନଦୀ ଭଳି ପ୍ରଖର ସ୍ରୋତରେ ବହି ଚାଲିଛି ବର୍ଷା ପାଣି । ଯେଉଁଆଡେ ଦେଖିବ ଖାଲି ପାଣି ଆଉ ପାଣି । ସମ୍ପୂର୍ଣ୍ଣ ସହର ଜଳାର୍ଣବ ହୋଇଛି । ସହର ଭିତର ରାସ୍ତା ଜଳାଶୟର ଭ୍ରମ ସୃଷ୍ଟି କରୁଛି । କେଉଁଠି ରାସ୍ତା କେଉଁଠି ଜଳାଶୟ ତାହା ଜାଣିବା କଷ୍ଟକର ହୋଇପଡିଛି ।
ବଲାଙ୍ଗୀର ସହରର ମୁଖ୍ୟ ରାସ୍ତାରେ ବର୍ଷା ପାଣିର ସୁଅ ଛୁଟିଛି । ବିଭିନ୍ନ ସ୍ଥାନରେ ଘର ଭିତରେ ମଧ୍ୟ ପାଣି ପଶି ଯାଇଛି । ଘର ଭିତରେ ଲହଡି ଭାଙ୍ଗୁଛି ବର୍ଷା ଜଳ । ତଳିଆ ଅଂଚଳର ସ୍ଥିତି ସଂଗୀନ ହୋଇପଡିଛି । କିଛି ଦିନ ପୂର୍ବରୁ ମଧ୍ୟ ଲଗାଣ ବର୍ଷା ଯୋଗୁ ବଲାଙ୍ଗୀରରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । କିନ୍ତୁ ଜଳ ନିଷ୍କାସନ ପାଇଁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଲୋକଙ୍କ ମଧ୍ୟରେ  ଅସନ୍ତୋଷ ଦେଖାଦେଇଛି ।
ସେପଟେ ମାଲକାନଗିରି କାଲିମେଳାରେ ଲଗାଣ ବର୍ଷା  । କାଲିମେଳାର ବିଭିନ୍ନ ଗାଁରେ ବର୍ଷା ପାଣି ପଶି ଯାଇଛି । ଫଳରେ  ଏହି ସବୁ ଗାଁରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । କାଙ୍ଗୁରକୋଣ୍ଡା ପୋଲ ଉପରେ ୨ଫୁଟ ଉଚ୍ଚର ବର୍ଷା ପାଣି ପ୍ରବାହିତ ହେଉଛି । ଏହା ମାଲକାନଗିରିରୁ ମୋଟୁ ଓ ମାଲକାନଗିରିରୁ- କାଲିମେଳାକୁ ମୁଖ୍ୟ ରାସ୍ତା ହୋଇଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଛି ।