ଲଘୁଚାପ ଆଣୁଛି ବଡ ବର୍ଷା : ୫ ଜିଲ୍ଲାରେ ପ୍ରବଳ ଛେଚିବ

4,911

କନକ ବ୍ୟୁରୋ : ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ ବଳୟ । ଯାହାକି ଦକ୍ଷିଣ ପଶ୍ଚିମ ଆଡ଼କୁ ଯାଇଛି । ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ଧରି ଉପକୂଳ ଆନ୍ଧ୍ରପ୍ରଦେଶ ସମେତ ତେଲେଙ୍ଗାନା, ମଧ୍ୟପ୍ରଦେଶରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ । ତେବେ ୨/୩ ଦିନ ଯାଏ ଓଡ଼ିଶାରେ ପାଗ କୋହଲା ରହିବା ସହ କେତେକ ସ୍ଥାନରେ ବର୍ଷା ହୋଇପାରେ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ପୂର୍ବ ଭାରତ ଓ ସଂଲଗ୍ନ ଉତ୍ତର ପଶ୍ଚିମ, ଉତ୍ତର ପୂର୍ବ ଭାରତ, ପଶ୍ଚିମ ଭାରତ ଉପକୂଳରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି, ମଙ୍ଗଳବାର ମଧ୍ୟାହ୍ନ ମଧ୍ୟରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ପୁରୀ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ତେଣୁ ଉକ୍ତ ୫ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଏହି ସମୟ ମଧ୍ୟରେ ରାୟଗଡ଼ା, ଜଗତ୍‌ସିଂହପୁର, କଟକ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏଥିସହ ମା‌ଲକାନଗିରି, ଗଞ୍ଜାମ, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ବରଗଡ଼, ଦେବଗଡ଼, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ ଓ ବୌଦ୍ଧର କେତେକ ସ୍ଥାନରେ ବର୍ଷା ହେବ ବୋଲି ଆକଳନ କରାଯାଇଛି । ୪ ତାରିଖରେ ରାଜ୍ୟର ଅନ୍ୟ ଜିଲ୍ଲା‌ ତୁଳନାରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ବରଗଡ଼, ସମ୍ବଲପୁର ଓ ନୂଆପଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ୫ ତାରିଖରେ କଟକ ସମେତ ପଶ୍ଚିମ ଓଡ଼ିଶାରେ ଅଧିକାଂଶ ଜିଲ୍ଲାରେ ବର୍ଷା ହୋ‌ଇପାରେ । ୬ ତାରିଖରେ ବର୍ଷା ସାମାନ୍ୟ କମିବ । ୭ ତାରିଖଠାରୁ ପୁଣିଥରେ ବର୍ଷା ପରିମାଣ ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ଲଘୁଚାପ ଦ୍ବାରା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳ ଅଶାନ୍ତ ରହିବ । ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ହୋଇପାରେ । ଉପକୂଳ ଓଡ଼ିଶା ଉପରେ ବି ଏହାର ପ୍ରଭାବ ପଡ଼ିବ । ତେଣୁ ଆସନ୍ତା ୪୮ ଘଣ୍ଟା ପର‌୍ୟ୍ୟନ୍ତ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଗତ ୩୬ ଘଣ୍ଟା ମଧ୍ୟରେ ରାଜ୍ୟର ଅନ୍ୟ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଅଧିକ ପରିମାଣର ବର୍ଷା ହୋଇଛି । ସୁନ୍ଦରଗଡ଼ରେ ସର୍ବାଧିକ ୭୪ ମିମି ବର୍ଷା ହୋଇଥିବା ବେଳେ କୋରାପୁଟରେ ୬୭.୮, ସୋନପୁରରେ ୫୫, ଦାରିଙ୍ଗବାଡ଼ିରେ ୪୨, ମାଲକାନଗିରିରେ ୨୩.୪, ଝାରସୁଗୁଡ଼ାରେ ୨୦.୬ ମିମି ବର୍ଷା ରେକର୍ଡ କରାଯାଇଛି । ଅନ୍ୟ ସ୍ଥାନଗୁଡ଼ିକରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।