୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କେତକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ! ମତ୍ସ୍ୟଜୀବୀମାନଙ୍କୁ ସମୂଦ୍ର ଭିତରକୁ ଯିବା ପାଇଁ ବାରଣ

25

କନକ ବ୍ୟୁରୋ : କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତ କିଛି ଦିନ ହେବ ବର୍ଷା ହେବାରେ ଲାଗିଛି । ବର୍ଷା ହେବାରୁ ରାଜ୍ୟବାସୀ ଗରମରୁ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କେତକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ବର୍ଷା ସମୟରେ ପବନର ଗେବ ୬୦-୭୦ ମଧ୍ୟରେ ରହିପାରେ ବୋଲି ପୂର୍ବାନୁମାନ ହୋଇଛି ।

Odisha rain
image courtesy-https://www.google.co.in

ରାଜ୍ୟର କେନ୍ଦୁଝର, ମୟୁରଭଞ୍ଜ, କନ୍ଧମାଳ, ଗଜପତି, ରାୟଗଡ଼ା, ସୁନ୍ଦରଗଡ଼, କୋରାପୁଟ, ଗଞ୍ଜାମ ଆଦି ଜିଲ୍ଲାରେ ଏହି କାଳବୈଶାଖୀ ପ୍ରଭାବରେ କେତକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।  ସେଥିପାଇଁ ଏହି ସମୟରେ ଘରୁ ବାହାରିବା ବିପଦପୂର୍ଣ୍ଣ ରହିଛି । ଚଳିତ ବର୍ଷ ବଜ୍ରାଘାତରେ ବହୁ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେଣୁ ବିଜୁଳି ମାରୁଥିବା ସମୟରେ ବୈଦ୍ୟୁତିକ ସାମଗ୍ରୀ ବ୍ୟବହାର କରିବାରେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ରହିଛି । ଏତଦ୍‌ ବ୍ୟତୀତ ମତ୍ସ୍ୟଜୀବୀମାନଙ୍କୁ ସମୂଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

ସେହିପରି ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହେବା ସହିତ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବେଗରେ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଟିଟଲାଗଡ଼ରେ ସର୍ବାଧିକ ତାପମାତ୍ର ୪୨.୫ ଡିଗ୍ରୀ ଥିବା ବେଳେ ଫୁଲବାଣୀରେ ୧୭.୦ ଡିଗ୍ରୀ ସର୍ବନିମ୍ନ ତାପମାତ୍ର ରହିଛି ।