ଲଗାଣ ବର୍ଷା ଯୋଗୁଁ ଖସିଲା ମାଟି ଅତଡ଼ା : କୋରାପୁଟରୁ ବୋରିଗୁମ୍ମାକୁ ଯୋଗାଯୋଗ ବିଚ୍ଛିନ୍ନ

148

କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ ତେଲିଙ୍ଗିରି ପ୍ରକଳ୍ପ ନିକଟ ରାଣୀଗଡ଼ ଠାରେ ମାଟି ଅତଡା ଖସିପଡ଼ିବାରୁ ରାସ୍ତା ଅବରୋଧ ହୋଇଯାଇଛି । ଏହି ସମୟରେ ରାସ୍ତାରେ କେହି ଯାତାୟାତ କରୁ ନଥିଲେ । ଫଳରେ, କାହାର କିଛି କ୍ଷତି ହୋଇନାହିଁ । ତେବେ, କୋରାପୁଟରୁ ବୋରିଗୁମ୍ମାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ରାସ୍ତା ଅବରୋଧ ଯୋଗୁଁ ଶହଶହ ଲୋକ ହଇରାଣ ହରକତ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ଗତକାଲି ଦିନତମାମ ମାଟି ବାହାର କରିବା ପାଇଁ ଉଦ୍ୟମ କରାଯାଇଥିଲେ ବି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ । ଆଜି ମଧ୍ୟ ରାସ୍ତା ପରିଷ୍କାର ହୋଇ ପାରିବ କି ନାହିଁ, ତାହା ସନ୍ଦେହ ଭିତରେ ରହିଛି ।

ମିଳିଥିବା ସୂଚନା ଅନୁସାରେ, କୋରାପୁଟ-ବୋରିଗୁମ୍ମା ରାଜ୍ୟ ରାଜପଥ ରାସ୍ତା କଡ଼ରେ ଥିବା ପାହାଡ଼ରୁ ବିଭିନ୍ନ ସମୟରେ ମାଟି ଅତଡ଼ା ଖସୁଥିବା ଦେଖିବାକୁ ମିଳୁଛି । ତେବେ, ଲଗାଣ ବର୍ଷା କାରଣରୁ ମାଟି ଧସିବା ଆରମ୍ଭ ହୋଇଥିଲା । ଗତକାଲି ସକାଳ ବେଳକୁ ରାସ୍ତା ଉପରେ ମାଟି ଗଦା ହୋଇ ରହିଥିଲା । ଫଳରେ, କୋରାପୁଟରୁ ବୋରିଗୁମ୍ମାକୁ ଗମନାଗମନ ବନ୍ଦ ହୋଇଯାଇଥିଲା । ଆଜି ଜୟନ୍ତଗିରି ହାଟ ରହିଥିବାରୁ ତଳ ଡାକରା, ଉପର ଡାକରା, ଘୋଟାଦାର, ଦୟାନିଧିଗୁଡା, ମୁଷାପୁଟ, ବୁଟୁରୁଗୁଡା ଗ୍ରାମର ଲୋକମାନେ ସମସ୍ୟାର ସମ୍ମୁଖୀନ ହୋଇଥି‌ଲେ ।

ଏହି ରାସ୍ତାର ଆଉ କିଛି ସ୍ଥାନରେ ମଧ୍ୟ ମାଟି ଅତଡା ଧସିଥିବା ସୂଚନା ମିଳିଛି । ଖବର ପାଇ ଜଳସେଚନ ବିଭାଗ ପକ୍ଷରୁ ରାସ୍ତାରୁ ମାଟି ଉଠା କାମ ଆରମ୍ଭ ହୋଇଛି । ଆଜି ଦିନତମାମ ମାଟି ବାହାର କରାଯାଇଥିଲେ ମଧ୍ୟ ଏହା ଶେଷ ହୋଇନି । ରାସ୍ତା ଉପରେ ପାହାଡ଼ ପ୍ରମାଣ ମାଟି ଗଦା ହୋଇ ରହିଥିବାରୁ ପୁନରୁଦ୍ଧାର କାର୍ଯ୍ୟ ବିଳମ୍ବିତ ହୋଇଛି । ଏପରିକି ଆସନ୍ତାକାଲି ମଧ୍ୟ ରାସ୍ତା ପରିଷ୍କାର ହୋଇ ପାରିବ କି ନାହିଁ,ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି ।