ପୁଣି ଆସୁଛି ବର୍ଷା: ୫ରେ ବଙ୍ଗୋପସାଗରରେ ଅବପାତ ସମ୍ଭାବନା

8,897

କନକ ବ୍ୟୁରୋ : ନଭେମ୍ବର ଛୁଇଁଲାଣି। ତଥାପି ଶୀତର ଦେଖା ନାହିଁ । ସେପଟେ ବର୍ଷା ବି ଏବେ ଓଡ଼ିଶା ଛାଡ଼ୁନି । ଗତ ସପ୍ତାହରେ ତିନି ଦିନ ଧରି ଲଗାଣ ବର୍ଷା ଜାରି ରହିବା ଦ୍ବାରା ୧୦ରୁ ଅଧିକ ଜିଲ୍ଲା ପ୍ରଭାବିତ ହୋଇଥିଲା । ଏବେ ପୁଣିଥରେ ୨ରୁ ୩ ଦିନ ଧରି ଲଗାଣ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ଯେ ନଭେମ୍ବର ୩ ବେଳକୁ ଉତ୍ତର ଆରବ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ପରବର୍ତୀ ସମୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ୫ ତାରିଖ ପୂର୍ବକେନ୍ଦ୍ରୀୟ ବାଙ୍ଗୋପସାଗରରେ ଏହା ଅବପାତରେ ପରିଣତ ହେବ । ପ୍ରଭାବରେ ପୂର୍ବ ଓ ଦକ୍ଷିଣ ଭାରତରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏହି ଅବପାତ ଅଧିକ ଘନୀଭୂତ ହେବ କି ନାହିଁ, ସେନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ଆକଳନ କରାଯାଇନାହିଁ ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ବର୍ତମାନ ରାଜ୍ୟକୁ ଉତ୍ତରା ପବନ ବୋହୁଛି । ଉତ୍ତର ଭାରତରେ ସୃଷ୍ଟି ହେଉଥିବା ଗୁରୁଚାପ ଜାରି ରହିଛି । ଆସନ୍ତାକାଲିଠାରୁ ତାହା ଅଧିକ ବିସ୍ତୃତ ହେବ । ଯାହାକି ପାକିସ୍ତାନଠାରୁ ଓଡ଼ିଶା ପର୍ଯ୍ୟନ୍ତ ବ୍ୟାପିବ। ଏବେ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ରହିଛି, ଯାହାଦ୍ବାରା ନଭେମ୍ବର ୧ ଓ ୨ରେ ଦକ୍ଷିଣ ଓଡ଼ିଶାରେ ପାଗ ମେଘୁଆ ରହିବା ସହ ହାଲକାରୁ ସ୍ବଳ୍ପ ବର୍ଷା ହୋଇପାରେ । ୩ ତାରିଖରେ ଥାଇଲାଣ୍ଡର ଦକ୍ଷିଣରେ କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରାୟତଃ ପଶ୍ଚିମ ଦିଗରେ ଗତି କରିବ । ନଭେମ୍ବର ୬ରେ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବସ୍ଥାପିତ ହେବ। ୭ ତାରିଖରେ ଆଣ୍ଡାମାନ ଅତିକ୍ରମ କରିବ ।

୯ ତାରିଖରେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିପାରେ। ରାଜ୍ୟର ପଶ୍ଚିମ ସୀମାନ୍ତ ଅଞ୍ଚଳ ବ୍ୟତୀତ ବାକି ଅଞ୍ଚଳରେ ଏହାର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାରେ ଅପେକ୍ଷାକୃତ ଅଧିକ ପ୍ରଭାବ ରହିବ। ତେବେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା କମ୍‌ । ଅନୁମାନ କରାଯାଉଛି ଯେ ଏହାଦ୍ବାରା ଦୁଇ ଦିନ ବର୍ଷା ହେବ । ଦକ୍ଷିଣ ଓଡ଼ିଶାରେ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୬ ଓ ୭ ତାରିଖରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ରାତିର ତାପମାତ୍ରା ଦୁଇ ଡିଗ୍ରି କମିବ। ତେବେ ୯ ତାରିଖରୁ ସମ୍ଭାବ୍ୟ ଲଘୁଚାପ ବଳୟ ଯୋଗୁଁ ପବନର ଦିଗ ପରିବର୍ତନ ହେବ। ଉତ୍ତରା ପବନ ପରିବର୍ତ୍ତେ ସାମୁଦ୍ରିକ ପବନ ବୋହିବ । ତାପମାତ୍ରା ପୁଣି ବଢ଼ିବ । ୧୧ ତାରିଖ ପରେ ପୁଣି ତାପମାତ୍ରା କମିବ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ରାତିର ତାପମାତ୍ରା ବିଶେଷଭାବେ କମିବାର ସମ୍ଭାବନା ରହିଛି ।

ବାତ୍ୟା ‘ମହା’ ଆଜି ମଧ୍ୟାହ୍ନରେ ଲାକ୍ଷାଦୀପଠାରୁ ଦକ୍ଷିଣରେ ରହିଥିଲା । କାଲି ସକାଳ ସୁଦ୍ଧା କ୍ରମଶଃ ଅଧିକ ଘନୀଭୂତ ହୋଇ ଅତିପ୍ରବଳ ଘୂର୍ଣ୍ଣିଝଡ଼ରେ ପରିଣତ ହେବ । ତା’ପରେ ଉତ୍ତର-ପଶ୍ଚିମ ଦିଗ‌ରେ ଗତି କରି ୬ ତାରିଖ ବେଳକୁ ଦକ୍ଷିଣ ଓମାନକୁ ସ୍ପର୍ଶ କରିବାର ପୂର୍ବାନୁମାନ କରାଯାଇଛି ।