ପ୍ରଚଣ୍ଡ ଗରମରେ ସିଝୁଛି ସାରା ଦେଶ : ୭୫ ବର୍ଷର ରେକର୍ଡ଼ ଭାଙ୍ଗିଲା ତାତି, ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ୫୦ ଡିଗ୍ରି ପାଖାପାଖି ପହଞ୍ଚିଲା ତାପମାତ୍ରା

143

କନକ ବ୍ୟୁରୋ : ସାରା ଦେଶରେ ପ୍ରଚଣ୍ଡ ତାତି । ରାଜଧାନୀ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ପ୍ରବଳ ଗରମ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି । ଦିନ ୮ଟା ପରଠାରୁ ଘରୁ ଗୋଡ଼ କାଢ଼ିବା ମୁସ୍କିଲ ହୋଇପଡ଼ିଛି । ଭାରତର ଅଧା ଅଂଶରେ ଲୋକମାନେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଛଟପଟ ହେଉଛନ୍ତି । ଜମ୍ମୁ-କାଶ୍ମୀର, ଦିଲ୍ଲୀ, ହିମାଚଳ ପ୍ରଦେଶ ଓ ରାଜସ୍ଥାନରେ ଗତକାଲି ସର୍ବାଧିକ ତାପମାତ୍ରା ରେକର୍ଡ଼ କରାଯାଇଛି । ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ୫୦ ଡିଗ୍ରି ପାଖାପାଖି ପହଞ୍ଚିଛି ପାରଦ ।

ରାଜଧାନୀ ଦିଲ୍ଲୀରେ ଭୀଷଣ ଗରମ ଯୋଗୁଁ ଶୁକ୍ରବାର ୪୭ ଡିଗ୍ରିରେ ପହଞ୍ଚିଛି ତାପମାତ୍ରା । ନୋଏଡ଼ା, ଗାଜିଆବାଦ, ଗୁରୁଗ୍ରାମ ଓ ଫରିଦାବାଦରେ ମଧ୍ୟ ତାପମାତ୍ରା ୪୫ରୁ ୪୬ ଡିଗ୍ରି ରେକର୍ଡ଼ କରାଯାଇଛି । ପାଣିପାଗ ବିଭାଗ ଅନୁସାରେ ଚଳିତ ବର୍ଷ ସବୁ ରେକର୍ଡ଼ ଭାଙ୍ଗିପାରେ ତାତି । ଆଗାମୀ ଏକ ସପ୍ତାହ ଧରି ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ।

ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ତାପମାତ୍ରା ୪୯.୬ ଡିଗ୍ରି ପହଞ୍ଚିବା ସହ ସର୍ବାଧିକ ତାପମାତ୍ରା ରେକର୍ଡ଼ ହୋଇଛି । ଏବର୍ଷର ତାତି ୭୫ ବର୍ଷର ରେକର୍ଡ଼ ଭାଙ୍ଗିଛି । ପୂର୍ବରୁ ଶ୍ରୀନଗରେ ୧୯୪୪ ୩୦ ମେରେ ସର୍ବାଧିକ ୪୯.୪ ଡିଗ୍ରି ସେଲସିୟସ୍ ରେକର୍ଡ଼ ହୋଇଥିଲା । ରାଜସ୍ଥାନରେ ୪୮.୫ ଓ ବିକାନେରରେ ୪୬.୬ ଡ୍ରିଗ୍ରି ସେଲସିୟସ୍ ତାପମାତ୍ରା ରେକର୍ଡ଼ ହୋଇଛି । ଉନାରେ ତାପାମାତ୍ରା ୪୬ ଡିଗ୍ରି ହୋଇଥିବା ବେଳେ ହରିୟାନା ନାରନୋଲରେ ୪୭ ଡିଗ୍ରି ପର୍ଯ୍ୟନ୍ତ ପହଞ୍ଚି ଯାଇଛି ।