ରାଜ୍ୟସାରା ଅସହ୍ୟ ତାତି ! ପ୍ରବଳ ଖରା ସାଙ୍ଗକୁ ଅନୁଭୂତ ହେବ ଗୁଳୁଗୁଳି

37

କନକ ବ୍ୟୁରୋ : ଆଜି ଠାରୁ ଜଳିବ ଓଡ଼ିଶା । ଉପକୂଳରୁ ଅଭ୍ୟନ୍ତରୀଣ ହେଉ କି ପଶ୍ଚିମରୁ ଦକ୍ଷିଣ ଓଡ଼ିଶା । ସବୁଠି ଅସହ୍ୟ ହେବ ତାତି । କେତେକ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରି ଟପିବାର ଆଶଙ୍କା ରହିଛି । ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ମଧ୍ୟ ଅନୁଭୂତ ହେବ । ଏହି ସମୟ ମଧ୍ୟରେ ଘରୁ ବାହାରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।

ପଶ୍ଚିମ ଓଡ଼ିଶା ସବୁଠାରୁ ଉତ୍ତପ୍ତ ହେବାର ଆଶଙ୍କା ରହିଛି । ତାଳଚେର, ଅନୁଗୁଳ, ଟିଟିଲାଗଡ଼, ସୋନପୁର, ବଲାଙ୍ଗିର ପ୍ରଭୃତି ଅଞ୍ଚଳରେ ତାପମାତ୍ରା ୧ରୁ ୨ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ । ତତଲା ପବନ ମାଡ଼ ହେବ । ଉପକୂଳ ଓଡ଼ିଶାରେ ମଧ୍ୟ ଅନୁରୂପ ଭାବେ ତାତି ବଢ଼ିବ । କିନ୍ତୁ ପଶ୍ଚିମ ଓଡ଼ିଶା ତୁଳନାରେ ସାମାନ୍ୟ କମ୍‌ ରହିବ। ଉପକୂଳ ଓଡ଼ିଶାର ବିଭିନ୍ନ ସହରର ତାପମାତ୍ରା ୪୦ ଡିଗ୍ରି କିମ୍ବା ତା’ଠାରୁ କମ୍‌ ରହିପାରେ ବୋଲି ପାଣିପାଗ କେନ୍ଦ୍ର ନିର୍ଦେଶକ ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି । ତାଙ୍କ କହିବା କଥା ହେଲା ସାରା ରାଜ୍ୟ ପାଇଁ ହିଟୱେଭ୍ ଜାରି ହୋଇଛି । ମେଘମୁକ୍ତ ଆକାଶ ସାଙ୍ଗକୁ ପଶ୍ଚିମ ଓ ଦକ୍ଷିଣ ପଶ୍ଚିମ ଦିଗରୁ ପବନ ହେଉଥିବାରୁ ତାତି ବଢ଼ୁଛି । ଏଭଳି ସ୍ଥିତି ଦୁଇ ଦିନ ଜାରି ରହିବ । ଏପ୍ରିଲ ୧ରୁ ତାପମାତ୍ରା କମିବ। ୧ରୁ ୨ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବା ସହ କାଳବୈଶାଖୀର ସମ୍ଭାବନା ରହିଛି ।

ପାଣିପାଗ ବିଜ୍ଞାନୀ ତଥା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି ମାର୍ଚ୍ଚ ୩୧ ସୁଦ୍ଧା ଦକ୍ଷିଣ, ଉତ୍ତର ଓ ଉପକୂଳ ଅଞ୍ଚଳରେ ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିବାର ସମ୍ଭାବନା ରହିଛି । ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକରେ ତାତି ବିଶେଷ ବଢ଼ିବ ନାହିଁ । କିନ୍ତୁ ପୁରୀ ଓ ଗୋପାଳପୁରରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ମାର୍ଚ୍ଚ ୩୧ ସୁଦ୍ଧା ଲଘୁଚାପ ଜନିତ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ଆକଳନ କରାଯାଉଥିଲା । ଏବେ ତାହା ଗୋଟିଏ ଦିନ ବିଳମ୍ବ ହେବାର ସମ୍ଭାବନା ରହିଛି ।

heat wave

ଫଳରେ ପଶ୍ଚିମା ଗରମ ପବନ ଓଡ଼ିଶାକୁ ଆସିପାରିବ ନାହିଁ । ପାଗ ମେଘୁଆ ରହିବ । ତାପମାତ୍ରା କମିବ। ଅଧିକାଂଶ ଅଞ୍ଚଳରେ ବର୍ଷା ହୋଇପାରେ । ଯାହାଦ୍ୱାରା ଏପ୍ରିଲ ୨ ସୁଦ୍ଧା ସାରା ରାଜ୍ୟରେ ତାପମାତ୍ରା ୪ ଡିଗ୍ରି କମିବ । ଉତ୍ତର ଓଡ଼ିଶାରେ ସବୁଠାରୁ ଅଧିକ କମିବ । ଏପ୍ରିଲ ୧ରେ ଉପକୂୂଳବର୍ତୀ ଅଞ୍ଚଳରେ କାଳବୈଶାଖୀ ହୋଇପାରେ । ସୀମାନ୍ତବର୍ତୀ ପଶ୍ଚିମ ଓଡ଼ିଶାରେ ତାପମାତ୍ରା କମ୍‌ ହ୍ରାସ ପାଇବ । ଏପ୍ରିଲ ମାସର ପ୍ରଥମ ଦୁଇ ସପ୍ତାହ ଗରମ ବଢ଼ିବାର ସମ୍ଭାବନା କମ୍‌ । ତାପମାତ୍ରା ସ୍ୱାଭାବିକ୍‌ଠାରୁ କମ୍‌ ରହିପାରେ । ମଝିରେ ମଝିରେ ଅଦିନିଆ ବର୍ଷା ହେବାର ସମ୍ଭାବନା ରହିଛି ।

ଗତ ଦୁଇ ଦିନ ପରି ଆଜି ମଧ୍ୟ ପଶ୍ଚିମ ଓଡ଼ିଶାର ସହରଗୁଡ଼ିକ ତତଲା ପାଲଟିଛି । ପ୍ରତିଦିନ ତାତି ରେକର୍ଡ ପରେ ରେକର୍ଡ ଭାଙ୍ଗିଚାଲିଛି । ଗତକାଲି ୪୧ ଡିଗ୍ରି ଡେଇଁଥିବା ଟିଟିଲାଗଡ଼ର ତାପମାତ୍ରା ଆଜି ୪୨ ଡିଗ୍ରିରେ ପହଞ୍ଚିଛି । ଯାହାକି ଚଳିତବର୍ଷର ସର୍ବୋଚ୍ଚ ତାପମାତ୍ରା । ପ୍ରବଳ ତାତି ସାଙ୍ଗକୁ ଗୁଳୁଗୁଳି ପ୍ରଭାବରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ଟିଟିଲାଗଡ଼ ସମେତ ମୋଟ ୭ଟି ସହରର ତାପମାତ୍ରା ମଧ୍ୟ ୪୦ ଡିଗ୍ରି ଉପରେ ରହିଥିଲା । ବଲାଙ୍ଗୀରର ତାପମାତ୍ରା ୪୧ ଡିଗ୍ରିରେ ପହଞ୍ଚିଥିବା ବେଳେ ଅନୁଗୁଳରେ ୪୦.୭, ସୋନପୁରରେ ୪୦.୬, ତାଳଚେରରେ ୪୦.୨, ଝାରସୁଗୁଡ଼ାରେ ୪୦.୧, ମାଲକାନଗିରିରେ ୪୦ ଡିଗ୍ରି ରହିଥିଲା। ମୋଟ ୧୯ଟି ସହରର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିଲା ।