କନକ ବ୍ୟୁରୋ : ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରା ଅଧିକ ରହିବା ସହ ଝାଞ୍ଜି ପବନ ମାଡ଼ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଶୁକ୍ରବାରଠାରୁ ସ୍ଥିତି ଆହୁରି ଜଟିଳ ହେବ । ତାତି ବଢ଼ିବ । ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା ୦.୫ରୁ ୨ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ । ୧୮ ତାରିଖ ବେଳକୁ ରାଜ୍ୟରେ ସ୍ଥିତି ସାଂଘାତିକ ହୋଇପାରେ । ପ୍ରଚଣ୍ଡ ତାତି ହେବ । ତେବେ ୨୦ ତାରିଖ ଯାଏ ତାତି ବଢ଼ିବ ଓ କମିବ ।
ଏହି ସମୟ ମଧ୍ୟରେ କାଳବୈଶାଖୀ ପ୍ରଭାବ ଲାଗିରହିବ। ପ୍ରତିଦିନ ରାଜ୍ୟର କେଉଁଠି ନା କେଉଁଠି କାଳବୈଶାଖୀ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦକ୍ଷିଣ ଓ ଉତ୍ତର ଉପକୂଳ ଜିଲ୍ଲାଗୁଡ଼ିକ ଲାଗି ସତର୍କ ସୂଚନା ଜାରି କରାଯାଇଛି । ମୟୂରଭଞ୍ଜ, ବାଲେଶ୍ବର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି ଆଦି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଅଧିକ । ଏହାବ୍ୟତୀତ ୨୧ ତାରିଖ ପର୍ଯ୍ୟନ୍ତ ଅନ୍ୟ ଜିଲ୍ଲାଗୁଡ଼ିକରେ ବି କାଳବୈଶାଖୀ ହେବ ବୋଲି ଅନୁମାନ କରାଯାଇଛି ।