କନକ ବ୍ୟୁରୋ : କନକ ବ୍ୟୁରୋ : ଯେଉଁ ସମୟରେ ପ୍ରାକ୍ ମୌସୁମୀ ବର୍ଷା ସମଗ୍ର ଓ଼଼ଡ଼ିଶାକୁ ଭିଜେଇ ଦେବା କଥା, ସେହି ସମୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ସମଗ୍ର ରାଜ୍ୟକୁ ଅସ୍ତବ୍ୟସ୍ତ କରିଦେଲାଣି । ପଶ୍ଚିମ ଓଡ଼ିଶା ଜଳୁଛି । ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଏମିତି ସ୍ଥିତି କଲାଣି ଲୋକେ ତ୍ରାହି ତ୍ରାହି ଡାକିଲେଣି । ସେପଟେ ନବରଙ୍ଗପୁର, ବଲାଙ୍ଗୀର ଓ କେନ୍ଦୁଝର ଜିଲ୍ଲାର ପୃଥକ୍ ପୃଥକ୍ ସ୍ଥାନରେ ବଜ୍ରପାତ କାରଣରୁ ୫ ଜଣଙ୍କ ମୃତ୍ୟୁ ଘଟିଛି । ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି, ଆଗକୁ ପ୍ରଚଣ୍ଡ ତାତିରେ ଅସ୍ତବ୍ୟସ୍ତ ହେବ ସାରା ରାଜ୍ୟ ।
କେବଳ ସେତିକି ନୁହେଁ, ଜୁନ୍ ମାସରେ ତାତି ନିୟନ୍ତ୍ରଣ ବାହାରକୁ ଚାଲି ଯିବାର ଆଶଙ୍କା ଥିବାରୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ହିଟ୍ୱେଭ୍(ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ) ସତର୍କ ସୂଚନା ଜାରି କରାଯାଇଛି । ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ବରଗଡ଼, ସୋନପୁର, ବଲାଙ୍ଗୀର, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲା ପାଇଁ ଜୁନ୍ ୧୪ ପର୍ଯ୍ୟନ୍ତ ହିଟ୍ୱେଭ୍ ସତର୍କତା ଜାରି ହୋଇଛି । ବରିଷ୍ଠ ନାଗରିକ, ଶିଶୁ, ରୋଗଗ୍ରସ୍ତ ବ୍ୟକ୍ତି ଯେତେଦୂର ସମ୍ଭବ ଖରାଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ବି କୁହାଯାଇଛି । ପାଣିପାଗ ବିଶେଷଜ୍ଞ ଡ. ଶରତ ଚନ୍ଦ୍ର ସାହୁଙ୍କ ଆକଳନ କହୁଛି, ୪ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବ ନାହିଁ । ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଲାଗି ରହି ବ। ଉପକୂଳରେ ତାପମାତ୍ରା ନ ବଢ଼ିଲେ ବି ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇପାରେ ।
ଡ. ସାହୁଙ୍କ ପୂର୍ବାନୁମାନ କହୁଛି, ଆକାଶରେ ବାଦଲ ରହୁଥିଲେ ମଧ୍ୟ ବର୍ଷା ହେଉନାହିଁ । ଯଦି ବର୍ଷା ହୁଅନ୍ତା ତେବେ ଗୁଳୁଗୁଳି ଅନୁଭୂତ ହୁଅନ୍ତା ନାହିଁ । ଦକ୍ଷିଣ ପଶ୍ଚିମ ଓ ପଶ୍ଚିମ ଦିଗରୁ ପବନ ହେଉଥିବାରୁ ବାଦଲ ଆଗକୁ ବଢ଼ୁଛି । ତେଣୁ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଜାରି ରହିଛି । ୧୪ ତାରିଖ ପରେ ତାପମାତ୍ରାରେ ସାମାନ୍ୟ ପରିବର୍ତନ ଆସିବ। ପାଗ କୋହଲା ହେବା ସହ କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ । ଜୁନ୍ ୧୫ରୁ ୧୭ ତାରିଖ ଅର୍ଥାତ୍ ରଜରେ ଦକ୍ଷିଣ ଓଡ଼ିଶାରେ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ଅଧିକ ରହିଛି । ୧୯ ଓ ୨୦ ବେଳକୁ ଉପକୂଳ ଓଡ଼ିଶାକୁ ମୌସୁମୀ ଛୁଇଁବ ବୋଲି ସେ ଆକଳନ କରିଛନ୍ତି ।
ଆଜି ଦିନତମାମ ପଶ୍ଚିମ ଓଡ଼ିଶାରେ ତାତି ଲାଗିରହିଥିଲା ବେଳେ ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଥିଲା । ମୋଟ ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରକୁ ଚାଲିଯାଇଛି । ହୀରାକୁଦ ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହୋଇଛି । ଏଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୪.୮ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୪.୬ ଡିଗ୍ରି ରହିଥିଲା । ଏହାବ୍ୟତୀତ ଟିଟିଲାଗଡ଼ରେ ୪୩.୬, ଝାରସୁଗୁଡ଼ାରେ ୪୩.୨, ବଲାଙ୍ଗୀରରେ ୪୨.୫, ସୋନପୁରରେ ୪୧.୮ ଅନୁଗୁଳରେ ୪୧.୧, ତାଳଚେରରେ ୪୦.୫, ଫୁଲବାଣୀରେ ୪୦.୪, ଭବାନୀପାଟଣାରେ ୪୦.୨, ସୁନ୍ଦରଗଡ଼ରେ ୪୦ ଡିଗ୍ରି ଥିଲା । ଭୁବନେଶ୍ବର, କଟକ, ଚାନ୍ଦବାଲି, ବାଲେଶ୍ବର, ଗୋପାଳପୁର, ପୁରୀ ସହରରେ ପାରଦ ୪୦ ଡିଗ୍ରି ତଳେ ରହିଥିଲେ ମଧ୍ୟ ଆର୍ଦ୍ରତା ଅଧିକ ରହିଥିଲା । ତେଣୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ।