ତାତିରୁ ତ୍ରାହି ନାହିଁ ! ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶାରେ ଦିନରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ତାପମାତ୍ରା

149

କନକ ବ୍ୟୁରୋ : ଆଜି ବି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପଶ୍ଚିମ ଓଡ଼ିଶାରୁ ଆରମ୍ଭ କରି ଉତ୍ତର ଓଡ଼ିଶା, କେନ୍ଦ୍ରୀୟ ଓଡ଼ିଶା, ଦକ୍ଷିଣ ଓଡ଼ିଶା, ଆଭ୍ୟନ୍ତର ଓଡ଼ିଶା ଏପରିକି ଉପକୂଳ ଓଡ଼ିଶାକୁ ମଧ୍ୟ ଗ୍ରୀଷ୍ମ ପ୍ରବାହ ନିଜ କବ୍‌ଜାକୁ ନେଇ ଗଲାଣି । ସମଗ୍ର ଓଡ଼ିଶା ଏବେ ସତେ ଯେପରି ପରିଣତ ହୋଇଛି ଏକ ତତଲା କଡ଼େଇରେ । ସକାଳ ୧୦ଟା ପରେ ଘରୁ ପଦାକୁ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିଛି । ଏ ପରିସ୍ଥିତିରେ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ନିକଟ ଭବିଷ୍ୟତରେ ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶାର ଜିଲ୍ଲାମାନଙ୍କରେ ଜାରି ଥିବା ଗ୍ରୀଷ୍ମ ପ୍ରବାହ କମିବାର କୌଣସି ସମ୍ଭାବନା ନାହିଁ ବୋଲି କୁହାଯାଇଛି ।

ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ବରଗଡ଼, ସୋନପୁର, ବୌଦ, କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାରେ ଆଗାମୀ ୭୨ ଘଣ୍ଟା ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏପରିକି ଏହି ସମସ୍ତ ଜିଲ୍ଲାଗୁଡ଼ିକରେ ଦିନର ତାପମାତ୍ରାରେ ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ଘଟିପାରେ ବୋଲି ମଧ୍ୟ ଆଜି ଅପରାହ୍ଣରେ ଜାରି ସତର୍କ ସୂଚନା କହିଛି ଭାରତୀୟ ପାଣିପାଗ ବିଭାଗ। ଯଦି ଅପରାହ୍ଣରେ କାଁ ଭାଁ କେତୋଟି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ହୁଏ, ତେବେ ସେ ସମସ୍ତ ଜିଲ୍ଲା ବାସୀ ତାତିରୁ ସାମନ୍ୟ ଆଶ୍ୱସ୍ତି ପାଇବେ ।

ତେଣୁ ଏହାକୁ ଦୃଷ୍ଟିରେ ରଖି ଅଂଶୁଘାତକୁ ଏଡ଼ାଇବା ପାଇଁ ପ୍ରଖର ଖରାରେ ଘରୁ ପଦାକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଏଥିସହ ବୃଦ୍ଧ ବୃଦ୍ଧା, ରୋଗୀ ଓ ଶିଶୁମାନଙ୍କର ବିଶେଷ ଯତ୍ନ ନେବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଗତକାଲି  ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୫.୫ ଡିଗ୍ରି ସେଲସିୟସ ଟିଟଲାଗଡ଼ ଠାରେ ରେକର୍ଡ କରା ଯାଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ୨୩.୮ ଡିଗ୍ରି ସେଲସିୟସ ମାଲକାନଗିରି ଠାରେ ରେକର୍ଡ କରା ଯାଇଥିଲା ।