କନକ ବ୍ୟୁରୋ : ଜାରି ରହିବ ଗ୍ରୀଷ୍ମ ପ୍ରବାହ । ୩ ଦିନ ଯାଏ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ । ତେବେ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ପଡ଼ିବନି । ସ୍ଥିତି ଅପରିବର୍ତ୍ତିତ ରହିବ । ୨୪ ତାରିଖଠାରୁ ସାରା ରାଜ୍ୟରେ ସ୍ଥିତି ସାଂଘାତିକ ହେବ । ଟିଟିଲାଗଡ଼ ସମେତ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୬ ଡିଗ୍ରି ଉପରକୁ ଚାଲିଯିବ । ୨୫ ବେଳକୁ ୪୭ରୁ ୪୮ ଡିଗ୍ରିରେ ପହଞ୍ଚିବ । କେବଳ ପଶ୍ଚିମ ଓଡ଼ିଶା ନୁହେଁ ।
ମେ’ ୨୫ ବେଳକୁ ଉପକୂଳ ଓଡ଼ିଶାର ଅଧିକାଂଶ ବ୍ଲକରେ ଦିନର ପାରଦ ୪୨ ଡିଗ୍ରି ଡେଇଁବ । ପ୍ରବଳ ଗୁଳୁଗୁଳି ସହ ପ୍ରଚଣ୍ଡ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିବ । କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ଆଶଙ୍କା ରହିଛି । ତେବେ ତାପମାତ୍ରା କମାଇବାରେ ତାହା ସକ୍ଷମ ହେବ ନାହିଁ। ଭୁବନେଶ୍ବର, କଟକ, ବାଲେଶ୍ବର, ଚାନ୍ଦବାଲି, ବାରିପଦା ଆଜି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଉପରକୁ ଚାଲିଯିବ ବୋଲି ଆକଳନ କରାଯାଇଛି । ସ୍ଥିତି ସଙ୍ଗିନ ହେଉଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା ଦୁଇ ଦିନ ଲାଗି ୬ଟି ଜିଲ୍ଲା ଲାଗି ହିଟ୍ୱେଭ୍ ଜାରି କରାଯାଇଛି । ବଲାଙ୍ଗୀର, ନୂଆପଡ଼ା, ଦେବଗଡ଼, ବୌଦ୍ଧ, ବରଗଡ଼ ଓ ନବରଙ୍ଗପୁର ଜିଲ୍ଲାରେ ଅସହ୍ୟ ତାତି ଅନୁଭୂତ ହେବ ।
 
 
ଅନ୍ୟପକ୍ଷରେ ୨୫ ତାରିଖରେ ୨୪ଟି ଜିଲ୍ଲାର ୬୪ ବ୍ଲକରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଲାଗିରହିବ। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିବ । ୨୪ ତାରିଖଠାରୁ ତାପମାତ୍ରା ବଢ଼ିବ ଓ ଧୀରେ ଧୀରେ ତାହା ଭୟଙ୍କର ରୂପ ନେବ । ୪୦ ଡିଗ୍ରି ଟପିବା ସହ ଦୁଇ ଦିନ ମଧ୍ୟରେ ୭ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ । ଏହି ସମୟରେ ଉପକୂଳ ଓଡ଼ିଶାର ୩୪ଟି ବ୍ଲକରେ ସଙ୍ଗିନ ସ୍ଥିତି ଉପୁଜିବ । ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଲୋକେ ଏବର୍ଷ ପ୍ରଚଣ୍ଡ ତାତିର ସମ୍ମୁଖୀନ ହେବ ।
 
 
 
ଅନ୍ୟପକ୍ଷରେ ଆଜି ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା । ଟିଟିଲାଗଡ଼ ତାପମାତ୍ରା ୪୫ ଡିଗ୍ରି ରହିଥିଲା । ଝାରସୁଗୁଡ଼ା ତାପମାତ୍ରା ୪୩.୮ ଡିଗ୍ରି ରହିଥିବା ବେଳେ ବଲାଙ୍ଗୀରରେ ୪୩.୬, ସମ୍ବଲପୁରରେ ୪୩.୪, ସୋନପୁରରେ ୪୩.୨, ଭବାନୀପାଟଣାରେ ୪୩, ତାଳଚେରରେ ୪୨.୫, ହୀରାକୁଦରେ ୪୨.୪, ସୁନ୍ଦରଗଡ଼ ଓ ମାଲକାନଗିରିରେ ୪୨, ଅନୁଗୁଳରେ ୪୦.୭ ଡିଗ୍ରି ରହିଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର, ଦାରିଙ୍ଗବାଡ଼ି ଓ କେନ୍ଦୁଝରର କେତେକ ସ୍ଥାନରେ ହାଲକା ବର୍ଷା ହୋଇଛି ।