ଦେଶରେ କରୋନା ସ୍ଥିତି ନେଇ ରାଜ୍ୟସଭାରେ ମତ ରଖିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ : ଭାରତରେ ୨୮ ହଜାର ୫୨୯ କରୋନା ସନ୍ଦିଗ୍ଧଙ୍କ ଉପରେ ରହିଛି ନଜର,ଏବେ ସୁଦ୍ଧା ୨୯ଜଣଙ୍କ ଦେହରେ ଭୂତାଣୁ ଚିହ୍ନଟ

376

କନକ ବ୍ୟୁରୋ : ଦେଶରେ କରୋନା ସ୍ଥିତି ନେଇ ରାଜ୍ୟସଭାରେ ମତ ରଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ । ଭାରତରେ ୨୮ ହଜାର ୫୨୯ କରୋନା ସନ୍ଦିଗ୍ଧଙ୍କ ଉପରେ ନଜର ରଖାଯାଇଥିବା କହିଛନ୍ତି । ଏବେ ଯାଏ ଭାରତରେ ୨୯ଜଣଙ୍କ ଦେହରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ସେମାନଙ୍କ ମଧ୍ୟରୁ ୩ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି ୨୬ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଭାରତ ସରକାର ଏନେଇ ପଦକ୍ଷେପ ନେଉଛନ୍ତି । ସମସ୍ତ ମେଡିକାଲରେ ଆଇସୋଲେସନ ୱାର୍ଡ ହୋଇଛି । ସଂକ୍ରମିତ ହେବାର ୧୪ ଦିନ ଭିତରେ ରୋଗ ଜଣାପଡିଥାଏ ବୋଲି ହର୍ଷବର୍ଦ୍ଧନ କହିଛନ୍ତି ।

ସେପଟେ କରୋନା ପାଇଁ ସବୁ ବିମାନବନ୍ଦରରେ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ୨୧ଟି ବିମାନ ବନ୍ଦରରେ ୩୦୦ ଜଣ ଡାକ୍ତରଙ୍କୁ କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି । ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି । ଚୀନ, ଦକ୍ଷିଣ କୋରିଆ, ଜାପାନ , ଇଟାଲୀ ପାଇଁ ଭିସା ରଦ୍ଦ କରାଯାଇଛି । ପ୍ରଧାନମନ୍ତ୍ରୀ ଏହା ଊପରେ କଡା ନଜର ରଖିଥିବା କହିଛନ୍ତି ହର୍ଷବର୍ଦ୍ଧନ ।

ଏବେ ସାରା ବିଶ୍ୱରେ ଭୟଙ୍କର ରୂପ ଧାରଣ କରିସାରିଲାଣି କରୋନା ଭୂତାଣୁ । ବିଶ୍ୱର ୮୨ଟି ଦେଶକୁ ବ୍ୟାପି ସାରିଲାଣି କରୋନା ଭୂତାଣୁ । କରୋନାରେ ସାରା ବିଶ୍ୱରେ ଏଯାଏଁ ୩ ହଜାର ୨୨୦ ଜଣଙ୍କ ମୃତ୍ୟୁ ହୋଇଛି । ଇଟାଲିରେ ୧୦୦ ଟପିଲାଣି ମୃତ୍ୟୁ ସଂଖ୍ୟା । କରୋନାର ଭୟାବହତାକୁ ଆଖିରେ ରଖି ଇଟାଲିରେ ଆସନ୍ତା ୧୫ ତାରିଖ ଯାଏଁ ସ୍କୁଲ କଲେଜ ବନ୍ଦ ଘୋଷଣା କରାଯାଇଛି । ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ହୋଇଛି । ଆମେରିକାରେ ୧୦୦ରୁ ଅଧିକ ଆକ୍ରାନ୍ତ ଅଛନ୍ତି । ବିଶ୍ୱ ସ୍ତରରେ କରୋନା ଭୂତାଣୁ ଦକ୍ଷିଣ କୋରିଆ, ଇଟାଲି, ଇରାନ, ଓ ଜାପାନରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । କରୋନା ଭୂତାଣୁ ସଂକ୍ରମଣ ଭୟରେ ଜାପାନରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ।

ନାଗରିକଙ୍କ ଗମନାଗମନ ଉପରେ ବି କଟକଣା ଲାଗିଛି । ଦକ୍ଷିଣ କୋରିଆରେ କରୋନା ମୃତ୍ୟୁ ସଂଖ୍ୟା ୩୨ରେ ପହଁଚିଗଲାଣି । ଏଠାରେ ୫ ହଜାର ୫ ଶହ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଇରାନରେ ୯୨ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି, ୩ ହଜାର ୧୪୦ ଜଣ ଆକ୍ରାନ୍ତ ହୋଇଛନ୍ତି । ସେପଟେ ସଂକ୍ରମଣ ରୋକିବାକୁ ବ୍ରିଟେନରେ ରୋଗୀ ଚିକିତ୍ସାର ନୂଆ ବାଟ ବାହାର କରାଯାଇଛି । ଭିଡିଓ ଲିଙ୍କ୍ ଜରିଆରେ ବ୍ରିଟେନରେ ରୋଗୀ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି ।