ଶିକ୍ଷକଙ୍କୁ ମହଙ୍ଗା ପଡିଲା ଭଡାରେ ଛାତ୍ରଛାତ୍ରୀ ଆଣି ସ୍କୁଲରେ ଉପସ୍ଥାନ ଦେଖାଇବା : ତଦନ୍ତ ପରେ ସିଆରସିସିଙ୍କ ସମେତ ପ୍ରଧାନଶିକ୍ଷକ ଓ ୨ଜଣ ଶିକ୍ଷୟତ୍ରୀ ନିଲମ୍ବିତ

1,703

କନକ ବ୍ୟୁରୋ : ନକଲି ଛାତ୍ରଛାତ୍ରୀ ପାଇଁ ପ୍ରଧାନଶିକ୍ଷକ ନିଲମ୍ବିତ । ମହଙ୍ଗା ପଡିଲା ଭଡାରେ ଛାତ୍ରଛାତ୍ରୀ ଆଣି ସ୍କୁଲରେ ଉପସ୍ଥାନ ଦେଖାଇବା । ଶେଷରେ ଏହି ଘଟଣାରେ ସିଆରସିସିଙ୍କ ସମେତ ପ୍ରଧାନଶିକ୍ଷକ ଓ ୨ଜଣ ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ସେମାନଙ୍କୁ ନିଲମ୍ବନ କରିଛନ୍ତି । କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ଗାଦବା ଗୁଡା ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏହି ଘଟଣା ।

ଧରାପଡିଗଲେ ପ୍ରଧାନ ଶିକ୍ଷକ । ମହଙ୍ଗା ପଡିଲା ମିଛ । କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ଗାଦବା ଗୁଡା ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଅଧିକ ଦେଖାଇବା ପାଇଁ କସ୍ତୁରବା ଗାନ୍ଧି ବିଦ୍ୟାଳୟରୁ ଭଡାରେ ଆଣିଥିଲେ ଛାତ୍ରଛାତ୍ରୀ । ୧୪ଜଣ ଛାତ୍ରଛାତ୍ରୀଙ୍କ ବଦଳରେ ଉପସ୍ଥାନରେ ଦେଖାଉଥିଲେ ୨୮ଜଣ ଛାତ୍ରଛାତ୍ରୀ । ଗତ ୨୦ ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ ।

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଧାନଶିକ୍ଷକ ଅନୁପସ୍ଥିତ ପିଲାଙ୍କ ନାଁ ଓ ଠିକଣା ସ୍କୁଲ ରେକର୍ଡରୁ କାଟି ଦେଇଥିଲେ । ତେବେ ତଦନ୍ତ ବେଳେ ଜଣାପଡିଥିଲା, ଏମାନେ ସବୁ ଭୂତ ପିଲା ଥିଲେ । ତଦନ୍ତରେ ମିଛ ପଦାକୁ ଆସିବା ପରେ ପ୍ରଧାନ ଶିକ୍ଷକଙ୍କ ସମେତ ସହଯୋଗ କରିଥିବା ସିଆରସିସି ଏବଂ ୨ଜଣ ଶିକ୍ଷୟତ୍ରୀଙ୍କୁ ନିଲମ୍ବନ କରାଯାଇଛି ।