ଗୁଜରାଟରେ ହିଟଲରୀ ଶାସନ : ପାଖାରେ ଫୋନ୍ ରଖିପାରିବେନି ଅବିବାହିତ ଝିଅ, ଉଲ୍ଲଂଘନ ପରେ ବାପାଙ୍କୁ ଦେବାକୁ ପଡ଼ିବ ୧.୫୦ଲକ୍ଷ ଟଙ୍କା

698

ଯୁଗ ଯାଇ କେଉଁଠି ପହଞ୍ଚିଲାଣି ! ଝିଅମାନେ ଚନ୍ଦ୍ରରେ ପହଞ୍ଚିଗଲେଣି ! ନାରୀ ଆଉ ଚାରିକାନ୍ଥରେ ଆବଦ୍ଧ ହୋଇ ନାହିଁ । ପୁରୁଷଙ୍କ ସହ ସମକକ୍ଷ ହୋଇ ନାରୀ ଆତ୍ମନିର୍ଭରଶୀଳ ହୋଇପାରିଛି । ପାରିବାରିକ ଦାୟିତ୍ୱ ସହ କର୍ମକ୍ଷେତ୍ରରେ ମଧ୍ୟ ନିଜକୁ ସଫଳ ପ୍ରତିପାଦିତ କରିପାରିଛି । ଦେଶର ପ୍ରଗତି ନିମନ୍ତେ ମହିଳାମାନଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଭାବେ ଶସକ୍ତ କରିବା ପାଇଁ ସରକାର ମଧ୍ୟ ବିଭିନ୍ନ ପ୍ରୟାସ କରୁଛନ୍ତି । ଆଧୁନିକତା ସହ ତାଳ ଦେଇ ସମାଜ ଯେତିକି ଅଗ୍ରସର ହେଉଛି ମହିଳାମାନେ ବି ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଉପସ୍ଥିତିକୁ ଜାହିର କରିପାରୁଛନ୍ତି । ତଥାପି ରହିଯାଉଥିବା କିଛି ଅସଙ୍ଗତି ପାଇଁ ଦୈନନ୍ଦିନ ଜୀବନରେ ନାନା ବିଭ୍ରାଟ ସୃଷ୍ଟି ହେଉଛି ।  ନାରୀ ସମାଜ ପ୍ରତି ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସୁନି । ଏକ ବିଂଶ ଶତାଦ୍ଦୀରେ ବି ନାରୀଜାତି ପ୍ରତି ଅବିଚାର ହେଉଛି । ଗୁଜରାଟ ବନାସକାଣ୍ଠାରୁ ଆସିଛି ଆଶ୍ଚର୍ଯ୍ୟଜନକ ଖବର ।

ଠାକୁର ସମ୍ପଦ୍ରାୟର ଲୋକମାନେ ଏକ ନୂଆ ନିୟମ ଆଣିଛନ୍ତି । ଅବିବାହିତ ଝିଅମାନେ ପାଖରେ ମୋବାଇଲ ରଖିପାରିବେ ନାହିଁ । ନୂଆ ନିୟମ ଅନୁସାରେ ଝିଅମାନଙ୍କୁ ମୋବାଇଲ ରଖିବାକୁ ଅନୁମତି ନାହିଁ, ଯଦି କେହି ବି ନିୟମ ଉଲ୍ଲଂଘନ କରେ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦଣ୍ଡ ସ୍ୱରୂପ ଝିଅର ବାପାଙ୍କ ଠାରୁ ୧.୫୦ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯିବ । ଏହାବ୍ୟତୀତ ପଞ୍ଚାୟତରେ ନିଷ୍ପତ୍ତି ହୋଇଛି, ବିବାହରେ ହେଉଥିବା ଅତିରିକ୍ତ ଖର୍ଚ୍ଚ ଉପରେ ମଧ୍ୟ ରୋକ୍ ଲଗାଯିବ । ଡିଜେ, ବାଜାବାଣ ଉପରେ ଖର୍ଚ୍ଚ କାଟ କରି ଅର୍ଥ ସଞ୍ଚୟ ହୋଇପାରିବ । କୌଣସି ଝିଅ ପରିବାରର ଇଚ୍ଛା ବିରୋଧରେ ବିବାହ କଲେ ତାହାକୁ ଅପରାଧ କୁହାଯିବ ।

ତେବେ ଏଇଠି ପ୍ରଶ୍ନ ଉଠୁଛି ନାରୀର ସ୍ୱାଧୀନତା ଉପରେ ରୋକ ଲଗାଇବା ପାଇଁ ତାଙ୍କୁ ଅଧିକାର ଦେଲା କିଏ । କୌଣସି ସମ୍ପ୍ରଦାୟ କିମ୍ବା କେହି ବ୍ୟକ୍ତିବିଶେଷ କେଉଁ ପରିସ୍ଥିତିରେ ଏପରି ନିୟମ ଆଣିଛନ୍ତି । ପ୍ରଶାସନର ଜାଣତରେ ଏପରି ହୋଇଛି କି ? ଏପରି ମାନସିକତାରେ ପରିବର୍ତ୍ତନ ଆଣିବା ଆବଶ୍ୟକ । ନାରୀମାନଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀ ବଦଳିବା ସହ ମହିଳାମାନେ ସଚେତନ ଓ ଜାଗ୍ରତ ହେବାର ଆବଶ୍ୟକତା ରହିଛି ।