ରାଜ୍ୟରେ କରୋନା ଭୟ : ସ୍କୁଲରେ ସଭାସମିତି ମନା,ପ୍ରାର୍ଥନାବେଳେ କରାଯିବ ସଚେତନ . . . ପ୍ରତି ସ୍କୁଲରେ ବଣ୍ଟାଯିବ ପ୍ରଚାରପତ୍ର

659

କନକ ବ୍ରୁରୋ : ରାଜ୍ୟରେ କରୋନାର କୋକୁଆ ଭୟ । ଆଉ ଏହାକୁ ଦୃଷ୍ଟିରେ ରଖି ବିହିତ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ କର୍ତ୍ତୃପକ୍ଷ, ଓପେସା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇଛି । କରୋନା ଭୂତାଣୁ ପ୍ରତିରୋଧ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଚିଠିରେ କୁହାଯାଇଛି ଯେ, ଦେଶର କେତେକ ଅଂଚଳରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ତେଣୁ ରାଜ୍ୟରେ ଏହି ଭୂତାଣୁ କିଭଳି ନ ବ୍ୟାପିବ ସେଥିପାଇଁ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଲୋକଙ୍କ ମଧ୍ୟରେ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି । ନିୟମିତ ଭାବେ ହାତ ଧୋଇବା, କାଶିବା ଓ ଛିଙ୍କିବା ସମୟରେ କପଡା ବା ରୁମାଲ ବ୍ୟବହାର କରିବା , କ୍ୟାମ୍ପସରେ ସଭାସମିତି କରିବା ଉପରେ କଟକଣା ଜାରି କରାଯାଇଛି ।

ଏହାଛଡା ପିଲାଙ୍କ ମଧ୍ୟରେ ସଚେତନତା ବି ସୃଷ୍ଟି କରାଯିବ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ସ୍କୁଲଗୁଡିକ ପାଇଁ ଜାରି ହୋଇଥିବା ପରାମର୍ଶଗୁଡିକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତିଦିନ ସକାଳେ ସ୍କୁଲରେ ହେଉଥିବା ପ୍ରାର୍ଥନା ବେଳେ ଏ ନେଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନଶିକ୍ଷକ । ଏଥିସହ ସ୍କୁଲ ଆଡଭାଇଜରିର ପ୍ରଚାରପତ୍ର ପ୍ରକଶ କରି ପ୍ରତି ସ୍କୁଲକୁ କପି ପଠାଇବାକୁ ଡିଇଓ, ଡିପିସି ଓ ବିଇଓମାନଙ୍କୁ କୁହାଯାଇଛି ।