କନକ ବ୍ୟୁରୋ : ବିମାନ ଓ ରେଳରେ ଓଡ଼ିଶାକୁ ଆସୁଥିବା ଯାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦେଶାବଳୀ ଜାରି ହୋଇଛି । ଯାତ୍ରୀମାନେ ଏଥିପାଇଁ ପ୍ରାକ୍ ପଞ୍ଜୀକରଣ କରିବା ସହିତ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ତେବେ ସଙ୍ଗରୋଧରେ ରହିବା ସମୟରେ ଯେଉଁମାନେ ନିୟମକୁ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର ।
ଭୁବନେଶ୍ବରରୁ ଦିଲ୍ଲୀ ଓ ଦିଲ୍ଲୀରୁ ଭୁବନେଶ୍ବର ମଧ୍ୟ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି। ତେଣୁ ସମସ୍ତ ଯାତ୍ରୀଙ୍କ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ନିର୍ଦେଶାବଳୀ ଲାଗୁ ହେବ। କରୋନାର ପ୍ରଥମ ପର୍ଯ୍ୟାୟରେ ବିଦେଶ ଫେରାନ୍ତଙ୍କ ପାଇଁ ରାଜ୍ୟ ସରକାର ପଞ୍ଜୀକରଣ ବାଧ୍ୟତାମୂଳକ କରିଥିଲେ। ପରବର୍ତୀ ସମୟରେ ଦିଲ୍ଲୀ ଫେରନ୍ତା ଓ କୋଲକାତା ଫେରାନ୍ତଙ୍କୁ ନିୟନ୍ତ୍ରଣ କରାଯିବା ଫଳରେ ରାଜ୍ୟରେ କରୋନା ନିୟନ୍ତ୍ରଣ ହୋଇପାରିଥିଲା। ଏବେ ବିଦେଶ ଓ ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କ ପାଇଁ କୋଭିଡ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ହେବ। ଯଦି କୌଣସି ଲୋକଙ୍କ ସଂପୂର୍ଣ୍ଣ ତଥ୍ୟ ନ ଥାଏ ତାହାଲେ ରାଜ୍ୟ ସରକାରଙ୍କ କଲ୍ ସେଣ୍ଟରରୁ ଫୋନ୍ କରାଯାଇ ତଥ୍ୟ ସଂଗ୍ରହ କରାଯିବ।
ତଥ୍ୟକୁ ଅନୁଶୀଳନ କରାଯିବା ପରେ ଜିଲ୍ଲାପାଳ, ସଂପୃକ୍ତ ଗ୍ରାମ ପଞ୍ଚାୟତ ଓ ନୋଡାଲ ଅଧିକାରୀଙ୍କୁ ତଥ୍ୟ ପ୍ରଦାନ କରାଯିବ। ବିମାନ ବନ୍ଦରରେ ବିମାନ ଲାଗିବା ପରେ ଯାତ୍ରୀମାନଙ୍କୁ ଏକାଥରକେ ନ ବାହାରି ୨୦ଜଣ ଲେଖାଏ ବାହାର କରାଯିବ। ସଂପୃକ୍ତ ଯାତ୍ରୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଯଦି କୌଣସି ଯାତ୍ରୀଙ୍କ କୋଭିଡ ଲକ୍ଷଣ ଦେଖିବାକୁ ମିଳିବ ତା’ହାଲେ ସଙ୍ଗେ ସଙ୍ଗେ ତାଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରାଯିବ। ତାଙ୍କର ସମସ୍ତ ଆସବାବପତ୍ରକୁ ସାନିଟାଇଜ କରାଯିବା ସହିତ ସଙ୍ଗରୋଧ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯିବ। ଅନ୍ୟ ଯାତ୍ରୀମାନଙ୍କ ପାଇଁ ବିମାନ ବନ୍ଦରରେ ଘରକୁ ଯିବା ଲାଗି ‘ଓଲା’ କିମ୍ବା ‘ଉବର’ ଟାକ୍ସି ଏବଂ କଟକ-ଭୁବନେଶ୍ବର ଯାତ୍ରୀଙ୍କ ପାଇଁ ସୀମିତ ରୁଟ୍ରେ ‘ମୋ ବସ୍’ ସେବା ଉପଲବ୍ଧ ହେବ। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ଯାତ୍ରୀମାନେ ନିଜ ଘରେ କିମ୍ବା ହୋଟେଲରେ ନିଜ ଖର୍ଚରେ ସଙ୍ଗରୋଧରେ ରହିପାରିବେ। ଏହି ସମୟରେ ରାଜ୍ୟ ସରକାରଙ୍କ ଯେଉଁ ନିୟମ ରହିଛି ତାହାକୁ ପାଳନ କରିବେ।
ସଙ୍ଗରୋଧରେ ରହିବା ସମୟରେ ଯଦି କୌଣସି ଲୋକ ଏହାର ଉଲ୍ଲଂଘନ କରନ୍ତି ତେବେ ବିପର୍ଯ୍ୟୟ ପରିଚାଳନା ଆଇନ, ମହାମାରୀ ଆଇନ ଓ ଭାରତୀୟ ପିଙ୍ଗଳ କୋଡ୍ର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସଙ୍ଗରୋଧରେ ରହିଥିବା ଲୋକଙ୍କ ଘର ସମ୍ମୁଖରେ ଷ୍ଟିକର ଓ ଶରୀରରେ ଅଲିଭା କାଳି ଲଗାଯିବ। ଯଦି କୌଣସି ବ୍ୟକ୍ତିଙ୍କ ଶରୀରରେ କରୋନା ଲକ୍ଷଣ ପ୍ରକାଶ ପାଏ ତାହାଲେ ସେମାନେ ସିଧାସଳଖ ଡାକ୍ତରଖାନାକୁ ନ ଯାଇ ୧୦୪ ସହାୟତା ନମ୍ବରକୁ କଲ୍ କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/train-3-bk-750x430.jpg)