କୃଷି ‌କ୍ଷେତ୍ର ପାଇଁ ଅଧ୍ୟାଦେଶ : ବଜାର ବ୍ୟବସ୍ଥାର ସୀମା ହଟିବ, ଘରୋଇ ସଂସ୍ଥା ମଣ୍ଡି ଖୋଲିବେ

579

କନକ ବ୍ୟୁରୋ : କୃଷିଜାତ ଦ୍ରବ୍ୟର ବ୍ୟବସାୟରେ ଆଉ ଭୌଗଳିକ ସୀମା ରହିବ ନାହିଁ । ରାଜ୍ୟ ଭିତରେ ଓ ଆନ୍ତଃରାଜ୍ୟ ସୀମା ହଟାଇ ଏହାର ଅବାଧ ପରିବହନ ହୋଇପାରିବ । କୃଷିଜାତ ଦ୍ରବ୍ୟ ଓ ପ୍ରାଣୀସମ୍ପଦ ବ୍ୟବସାୟକୁ ଅଧିକ ସୁଗମ ଓ କମ୍ ଖର୍ଚ୍ଚଯୁକ୍ତ କରିବା ପାଇଁ ରାଜ୍ୟ ସ୍ତରରେ ଏକକ ବିପଣନ ଫିସ୍‌ ଓ ଏକକ ବିପଣନ ଲାଇସେନ୍ସ ବ୍ୟବସ୍ଥାର ସ୍ଥାପନ ହେବ । କୃଷିଜାତ ଦ୍ର୍ୟବର ବିକ୍ରିବଟାକୁ ସହଜ କରିବା ଉଦ୍ଦେଶ୍ୟ ନେଇ ଏମିତି ବହୁ ବ୍ୟବସ୍ଥା ରଖି ରାଜ୍ୟ ସରକାର ନୂଆ ଅଧ୍ୟାଦେଶ ଆଣିଛନ୍ତି । ଏଥିରେ ବେସରକାରୀ ସଂସ୍ଥା ବିପଣନ ମଣ୍ଡି ସ୍ଥାପନ କରିବାକୁ ଅନୁମତି ଦିଆଯିବାର ବ୍ୟବସ୍ଥା ରହିଛି। କୃଷକମାନଙ୍କ ସୁବିଧା ନିମନ୍ତେ ପଣ୍ୟାଗାର ଓ ଶୀତଳ ଭଣ୍ଡାରଗୁଡ଼ିକ ମଧ୍ୟ ବିପଣନ ମଣ୍ଡି ଭାବେ ଘୋଷଣା କରାଯାଇପାରିବ ବୋଲି ସ୍ପଷ୍ଟ କରାଯାଇଛି ।

କୃଷିଜାତ ଦ୍ରବ୍ୟର କିଣାବିକା ନିୟନ୍ତ୍ରଣ ନିମନ୍ତେ ସମବାୟ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ‘ଓଡ଼ିଶା କୃଷିଜାତ ଦ୍ରବ୍ୟ ବିପଣନ ଅଧିନିୟମ,୧୯୫୬’ ପରିବର୍ତ୍ତେ ‘ଓଡ଼ିଶା କୃଷିଜାତ ଦ୍ରବ୍ୟ ଓ ପ୍ରାଣୀସମ୍ପଦ ବିପଣନ(ପ୍ରୋତ୍ସାହନ ଓ ସୁବିଧା), ୨୦୨୦ ଅଧ୍ୟାଦେଶ ସଂଖ୍ୟା-୪ ନାମରେ ଏହା କାର୍ଯ୍ୟକାରୀ କରାଯିବ। ନୂଆ ଅଧ୍ୟାଦେଶକୁ ରାଜ୍ୟପାଳ ମୋହର ମାରିଛନ୍ତି। ସେହିପରି ଓଡ଼ିଶା କୃଷିଜାତ ଦ୍ରବ୍ୟ ଓ ପ୍ରାଣୀସମ୍ପଦ ଚୁକ୍ତି, କୃଷିକର୍ମ ଓ ସେବା(ପ୍ରୋତ୍ସାହନ ଓ ସୁବିଧା), ୨୦୨୦(ଅଧ୍ୟାଦେଶ-୩) ନାମରେ ଆଉ ଏକ ଅଧ୍ୟାଦେଶ ମଧ୍ୟ ଜାରି କରାଯାଇଛି। କ‌େରାନା ପର‌ିପ୍ରେକ୍ଷୀରେ କୃଷି କ୍ଷେତ୍ରର ବିକାଶ ଲାଗି ରାଜ୍ୟ ସରକାର ତିନିଟି ଅଧ୍ୟାଦେଶ ଆଣିବେ ବୋଲି ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ଭାରତ ସରକାର ସାରା ଦେଶରେ ଏକକ ରୂପରେ କୃଷିଜାତ ଦ୍ରବ୍ୟର ବଜାର ସଂସ୍କାର ଆଇନ ପ୍ରଣୟନ ପାଇଁ ଏକ ଆଦର୍ଶ ଚିଠା ଅଧିନିୟମ,୨୦୧୭ ପ୍ରସ୍ତୁତ କରି ଏହାକୁ ଯଥାଶୀଘ୍ର ଅଧିନିୟମରେ ପ୍ରଣୟନ ନିମନ୍ତେ ସମସ୍ତ ରାଜ୍ୟଙ୍କୁ ଅନୁରୋଧ କରିଥିଲେ। ଉଦ୍ଦେଶ୍ୟ ଥିଲା କୃଷିଜାତ ଦ୍ରବ୍ୟର ରାଜ୍ୟ ମଧ୍ୟରେ ତଥା ଆନ୍ତଃରାଜ୍ୟ ସୀମା ହଟାଇ ଏହାର ଅବାଧ ପରିବହନ, କୃଷକ ଓ ଖାଉଟି ମଧ୍ୟରେ ସିଧାସଳଖ ସମ୍ପର୍କ କରି ସେମାନଙ୍କ ଉତ୍ପାଦନର ମୂଲ୍ୟ ଦେବା ଏବଂ ବର୍ତ୍ତମାନ ବଜାର ବ୍ୟବସ୍ଥାର ସଂସ୍କାର ଆଣିବା। ଏହି ଚିଠା ଅଧିନିୟମକୁ ଆଧାର କରି ଓଡ଼ିଶା ସରକାର ନୂଆ ଅଧ୍ୟାଦେଶ ଜାରି କରିଛନ୍ତି। ଅଧ୍ୟାଦେଶ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ପ୍ରଚଳିତ ବିଭାଜିତ ହୋଇଥିବା ବିଜ୍ଞାପିତ ବିପଣନ କ୍ଷେତ୍ରମାନଙ୍କର ଉଚ୍ଛେଦ କରାଯାଇ ରାଜ୍ୟକୁ ଏକକ ବିପଣନ କ୍ଷେତ୍ରରେ ପରିଣତ କରାଯିବ।

ପାଇକାରୀ ଓ ବୃହତ ବ୍ୟବସାୟୀ, କୃଷି ପ୍ରକ୍ରିୟାକରଣ ଶିଳ୍ପ ସଂସ୍ଥା, ରପ୍ତାନିକାରୀ ଓ କୃଷକଙ୍କ ମଧ୍ୟରେ ସିଧାସଳଖ ସମ୍ପର୍କକୁ ପ୍ରୋତ୍ସାହନ ଯୋଗାଇବାରେ ଏହା ସହାୟକ ହେବ। କୃଷିଜାତ ଦ୍ରବ୍ୟ ଓ ପ୍ରାଣୀସମ୍ପଦର ବ୍ୟବସାୟ‌େର ସ୍ବଚ୍ଛତା ଓ ଜାତୀୟ ସ୍ତରରେ ଥିବା ବଜାର ସଂଯୋଗୀକରଣକୁ ପ୍ରୋତ୍ସାହନ ଦେବା ପାଇଁ ବୈଦ୍ୟୁତିକ ବିପଣନ(ଇ-ଟ୍ରେଡିଂ)ର ପ୍ରଚଳନ କରାଯିବ। କୃଷିଜାତ ଦ୍ରବ୍ୟ ଓ ପ୍ରାଣୀସମ୍ପଦ ବ୍ୟବସାୟକୁ ସୁଲଭ କରିବା ପାଇଁ ସମବାୟ ସମିତି, କୃଷକ ଉତ୍ପାଦନ ସଂଗଠନ ଓ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଉତ୍ସାହିତ କରାଯିବ। ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ ପଦ୍ଧତ୍ତିରେ ବଜାର କମିଟି ଓ ରାଜ୍ୟ ବିପଣନ ପରିଷଦ ଗଠନ କରାଯିବା ପାଇଁ ଅଧ୍ୟାଦେଶରେ ବ୍ୟବସ୍ଥା ରହିଛି।

ଅଧ୍ୟାଦେଶ-୩ରେ ଥିବା ବ୍ୟବସ୍ଥା‌ ଅନୁଯାୟୀ କୃଷି ଜନିତ କ୍ଷତି ଭୟରୁ କୃଷକମାନଙ୍କୁ ମୁକ୍ତ କରିବା ପାଇଁ ରାଜ୍ୟରେ ଚୁକ୍ତି କୃଷିକର୍ମ ଏବଂ ଚୁକ୍ତିଭୁକ୍ତ ସେବାଗୁଡ଼ିକର ପ୍ରଦାନକୁ ପ୍ରୋତ୍ସାହିତ କରାଯିବ। କୃଷିଜାତ ଦ୍ରବ୍ୟର ଅମଳ ପରବର୍ତ୍ତୀ ବିକ୍ରିବଟାର ଅନିଶ୍ଚିତତାକୁ ଦୂର କରିବା ପାଇଁ କୃଷକମାନେ ବ୍ୟକ୍ତିଗତ ବା ଗୋଷ୍ଠୀଗତ ଭାବେ ପ୍ରାୟୋଜକ ସହ ଅମଳ ଋତୁ ପୂର୍ବରୁ ଚୁକ୍ତିବଦ୍ଧ ହେବେ। ଏହି ଚୁକ୍ତି ଉଭୟ କୃଷକ ଓ ପ୍ରାୟୋଜକଙ୍କ ସ୍ବାର୍ଥ ରକ୍ଷା କରିବାରେ ବାସ୍ତବ ଭୂମିକା ଗ୍ରହଣ କରିବ।

କୃଷିକର୍ମ ଚୁକ୍ତିନାମାରେ କୃଷକ ଅପେକ୍ଷାକୃତ ଦୁର୍ବଳ ପକ୍ଷ ହୋଇଥିବାରୁ ସେମାନଙ୍କର ସ୍ବାର୍ଥ ରକ୍ଷା ନିମନ୍ତେ ଏଥିରେ ଦୃଢ଼ ଆଇନଗତ ସୁରକ୍ଷା ପ୍ରଦାନର ବ୍ୟବସ୍ଥା ଅଛି। ଏଥି ନିମନ୍ତେ କୌଣସି ବିବାଦ ଉପୁଜିଲେ ଏକ ବିବାଦ ସମାଧାନ ପ୍ରାଧିକାରୀ କର୍ତ୍ତୃପକ୍ଷଙ୍କ ଦ୍ବାରା ତିନି ଦିନ ମଧ୍ୟରେ କୃଷକମାନଙ୍କ ଦେୟ ପ୍ରଦାନର ବ୍ୟବସ୍ଥା କରାଯିବ। ଚୁକ୍ତି କୃଷିକର୍ମର ପ୍ରୋତ୍ସାହନ, ପ୍ରସାରଣ ଓ ସମୀକ୍ଷା ପାଇଁ ରାଜ୍ୟ ସ୍ତରରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନର ବ୍ୟବସ୍ଥା ରହିଛି।

Comments are closed.