ଚଳିତ ମାସ ପହିଲାରୁ ଦେଶରେ ନୂଆ ପରୋକ୍ଷ ଟିକସ ବ୍ୟବସ୍ଥା ଜିଏସଟି କାର୍ଯ୍ୟକାରୀ ହୋଇଥିଲା । ଆଜି ଜିଏସଟିକୁ ପୂରିବ ମାସେ । ଜିଏସଟିକୁ ସମ୍ପୂର୍ଣ୍ଣ ଭାବେ ବୁଝିବା ଲାଗି ଏବେ ବି ସବୁ ବ୍ୟବସାୟୀ ସମର୍ଥ ହୋଇନାହାନ୍ତି । ସାଧାରଣ ଜନତାଙ୍କ ପାଖରେ ମଧ୍ୟ ଜିଏସଟିର ଲାଗି ଠିକ୍ ଭାବେ ପହଞ୍ଚି ପାରିନାହିଁ।
୧୦ ଲକ୍ଷ ନୂଆ ଟିକସଦାତା ସାମିଲ
ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି) ପରିସରକୁ ୧୦ ଲକ୍ଷରୁ ଅଧିକ ନୂଆ ଟିକସଦାତା ଆସିଛନ୍ତି । ପ୍ରାୟ ୨ ଲକ୍ଷ ଆବେଦନ ଏବେ ବି ମଞ୍ଜୁରି ପାଇଁ ପଡ଼ି ରହିଛି ବୋଲି ରାଜସ୍ୱ ସଚିବ ହସ୍ମୁଖ ଅଧିଆ କହିଛନ୍ତି । ଦେଶରେ ଟିକସଦାତାଙ୍କ ସଂଖ୍ୟା ବୃଦ୍ଧି ଜିଏସଟିର ଏକ ପ୍ରମୁଖ ବିଷୟ ରହିଥିଲା ବୋଲି ଶ୍ରୀ ଅଧିଆ ଏକ ଟ୍ଵିଟ୍ ବାର୍ତ୍ତାରେ କହିଛନ୍ତି ।
ପଞ୍ଜୀକରଣ ହୋଇଥିବା ୧୦ରୁ ୧୨ ଲକ୍ଷ ମଧ୍ୟରୁ ଯଦି ୮ରୁ ୯ ଲକ୍ଷ ଲୋକ ରିଟର୍ଣ୍ଣ ଫାଇଲ କରନ୍ତି ତାହେଲେ ଦେଶରେ ରାଜସ୍ୱ ପରିମାଣ ଉଲ୍ଲେଖନୀୟ ଭାବେ ବୃଦ୍ଧି ଘଟିବ । ଏଥସହିତ ଟିକସ ଫାଙ୍କିକୁ ରୋକିବାରେ ମଧ୍ୟ ଏହା କାମରେ ଆସିବ ବୋଲି ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଫାଇନାନ୍ସ ଆଣ୍ଡ ପଲିସି (ଏନ୍ଆଇପିଏଫ୍ପି)ର ପ୍ରଫେସର ଏନ୍. ଆର୍. ଭାନୁମୂର୍ତ୍ତି କହିଛନ୍ତି ।
ଜିଏସଟିର ଆଇଟି ଭିତ୍ତିଭୂମି ସମ୍ଭାଳୁଥିବା କମ୍ପାନି ଜିଏସଟିଏନର ସିଇଓ ପ୍ରକାଶ କୁମାର କହିଛନ୍ତି ଯେ, ନୂଆ ଟିକସ ବ୍ୟବସ୍ଥାକୁ ୮୬ ଲକ୍ଷ ବ୍ୟବସାୟୀ ଏବଂ ସେବା ପ୍ରଦାନକାରୀ ଆସି ସାରିଲେଣି । ଏମାନଙ୍କ ମଧ୍ୟରୁ ୭୧ ଲକ୍ଷ ବ୍ୟବସାୟୀ ଓ ସେବାପ୍ରଦାନକାରୀଙ୍କୁ ଜିଏସଟି ପରିଚୟପତ୍ର ନମ୍ବର ଦିଆଯାଇ ସାରିଲାଣି । ବାର୍ଷିକ ୨୦ ଲକ୍ଷ ଟଙ୍କାରୁ କମ୍ କାରବାର କରୁଥିବା ଅନେକ ବ୍ୟବସାୟୀ ମଧ୍ୟ ଜିଏସଟିରେ ପଞ୍ଜୀକରଣ କରୁଛନ୍ତି ।
କମ୍ପୋଜିସନ ସ୍କିମ୍ର ଅଗ୍ରଗତି ଧିମା
ଜିଏସଟି ବ୍ୟବସ୍ଥାରେ ଥିବା କମ୍ପୋଜିସନ୍ ସ୍କିମ୍ ପ୍ରତି ବ୍ୟବସାୟୀ ଏବଂ ସେବା ପ୍ରଦାନକାରୀମାନେ ସେତେଟା ଆଗ୍ରହ ପ୍ରଦାନ କରୁନାହାନ୍ତି । ଉତ୍ପାଦନ ଶୁଳ୍କ, ସେବା ଟିକସ ଏବଂ ଭାଟ୍ ପ୍ରଦାନ କରୁଥିବା ୭୦ ଲକ୍ଷ ବ୍ୟବସାୟୀଙ୍କ ମଧ୍ୟରୁ ମାତ୍ର ୧ ଲକ୍ଷ ବ୍ୟବସାୟୀ କମ୍ପୋଜିସନ୍ ସ୍କିମ୍ ପରିସରକୁ ଆସିଛନ୍ତି । ଟିକସ ନିୟମ ପାଳନ ଜନିତ ବୋଝକୁ ହ୍ରାସ କରିବା ପାଇଁ ଛୋଟ ବ୍ୟବସାୟୀଙ୍କୁ କମ୍ପୋଜିସନ୍ ସ୍କିମ୍ର ସୁଯୋଗ ପ୍ରଦାନ କରାଯାଇଛି ।
କେଉଁ କାରଣ ପାଇଁ କମ୍ପୋଜିସନ୍ ସ୍କିମ୍କୁ ବ୍ୟବସାୟୀମାନେ ଆସୁନାହାନ୍ତି ତାହାର କାରଣ ଖୋଜିବାକୁ ସିବିଇସିକୁ କୁହାଯାଇଛି ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି । ୮ଟି ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ସମେତ ହିମାଚଳ ପ୍ରଦେଶକୁ ଛାଡ଼ିଦେଲେ ବର୍ଷକୁ ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ବ୍ୟବସାୟୀମାନେ ଏହି ସ୍କିମ୍ରେ ସାମିଲ ହୋଇପାରିବେ ।
ଟ୍ରକ୍ ପରିବହନ ସମୟ ୨୦ ପ୍ରତିଶତ ହ୍ରାସ
ଜିଏସଟି ପରେ ଦେଶରେ ଟ୍ରକ୍ ପରିବହନ ସମୟରେ ଉନ୍ନତି ଘଟିଛି । ପୂର୍ବରୁ ଟ୍ରକକୁ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବା ଲାଗି ଯେତିକି ସମୟ ଲାଗୁଥିଲା ଏବେ ପ୍ରାୟ ଏକ ପଞ୍ଚମାଂଶ ବା ୨୦ ପ୍ରତିଶତ କମ୍ ସମୟ ଲାଗୁଛି ବୋଲି ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।