ଏକବିଂଶ ଶତାବ୍ଦୀରେ ବି ଯାଉନି ଅନ୍ଧବିଶ୍ୱାସ : ଅନୁଗୁଳ ନତଡା ଗାଁରେ କୁଆଡେ ମହିଳାଙ୍କ ଦେହକୁ ଆସିଯାଉଛି ମୃତ ଯୁବକର ଆତ୍ମା, ହତ୍ୟାକାଣ୍ଡର କାହାଣୀ କହୁଛି

271

କନକ ବ୍ୟୁରୋ : ଏକବିଂଶ ଶତାଦ୍ଦୀରେ ବି ଯାଉନି ଅନ୍ଧବିଶ୍ୱାସ । କାନ୍ଦୁଛି ଅତୃପ୍ତ ଆତ୍ମା । ଅନୁଗୁଳ ନତଡା ଗାଁରେ କୁଆଡେ ମହିଳାଙ୍କ ଦେହକୁ ଆସିଯାଉଛି ମୃତ ଯୁବକର ଆତ୍ମା । କାନ୍ଦି କାନ୍ଦି କହୁଛି, କେମିତି କରାଯାଇଥିଲା ତାକୁ ହତ୍ୟା । ଘଟଣାକୁ ଗ୍ରାମବାସୀ ଓ ମୃତ ଯୁବକଙ୍କ ପରିବାର ଲୋକ ବିଶ୍ୱାସ କରୁଥିବା ବେଳେ ବୁଦ୍ଧିଜୀବୀ କହୁଛନ୍ତି ଏହା ଅନ୍ଧବିଶ୍ୱାସ । ଆଉ ଏହି ବିଶ୍ୱାସ-ଅବିଶ୍ୱସର ଦୋଛକିରେ ଗାଁରେ ପହଂଚି ସ୍ଥିତି ସମୀକ୍ଷା କରିଛି କନକ ନ୍ୟୁଜ ।

ମୃତ ବ୍ୟକ୍ତି ଉଠିଆସିବ, ଆଉ ସେ କେମିତି ମଲା ସେ କଥା ସମସ୍ତଙ୍କୁ କହି ବୁଲିବ ଏହା ଅସମ୍ଭବ । କିନ୍ତୁ ଲୋକମତରେ ଗୋଟିଏ ଧାରଣା ଅଛି, ଆତ୍ମା ଅମର । ଏହି ଧାରଣା ଗରିବ, ଅଶିକ୍ଷିତ, ଅସହାୟ ଓ ପଛୁଆ ଲୋକଙ୍କ ଭିତରେ ଅନ୍ଧବିଶ୍ୱାସ ଆକାରରେ ଘର କରି ରହିଛି । ଏପରି ଘଟଣା ଅନୁଗୁଳରେ ଦେଖିବାକୁ ମିଳିଛି ।  ଜଣେ ମହିଳା ଖୁବ ଅସ୍ୱାଭାବିକ ଆଚରଣ କରୁଛନ୍ତି । ଚୁଟି ସବୁ ମୁକୁଳା, ଇଆଡୁ ସିଆଡୁ ଗପୁଛନ୍ତି । ସ୍ଥାନୀୟ ଲୋକେ କହୁଛନ୍ତି ତାଙ୍କ ଦେହରେ ଭୂତ ଲାଗିବା ପରେ ସେ ଏମିତି ଅସ୍ୱାଭାବିକ ବ୍ୟବହାର କରୁଛନ୍ତି । ମହିଳା ଜଣଙ୍କ କହୁଛନ୍ତି, ତାଙ୍କୁ ମାରି ଦିଆଯାଇଛି । ମାରିବା ପରେ ଏକ ପରିତ୍ୟକ୍ତ ପାଇଖାନାରେ ରଖିବା ସହ କୂଅକୁ ଫିଙ୍ଗି ଦିଆଯାଇଛି । ତାଙ୍କୁ ନ୍ୟାୟ ଦରକାର । ଲୋକ କହୁଛନ୍ତି ମହିଳାଙ୍କ ଦେହରେ ଜଣେ ଯୁବକଙ୍କ ଭୂତ ଲାଗିଛି ଆଉ ସେ ନିଜ ମୃତ୍ୟୁ କାହାଣୀ କହୁଛି । ମହିଳାଙ୍କ କଥାକୁ ବିଶ୍ୱାସ କରି ମୃତ ଯୁବତଙ୍କୁ ନ୍ୟାୟ ଦେବା ପାଇଁ ଦାବି ହେଉଛି ।

ମହିଳାଙ୍କ ଦେହରେ ଭୂତ ସବାର ହେଉଥିବା ଖବର ଚାରିଆଡେ ଚର୍ଚ୍ଚା ହେବା ପରେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ରାତି ପ୍ରାୟ ଗୋଟାଏରେ ଅନୁଗୁଳ ଥାନା ନତଡା ଗାଁରେ ପହଂଚିଥିଲେ କନକ ନ୍ୟୁଜ୍ ପ୍ରତିନିଧି ପ୍ରକାଶ ପ୍ରଧାନ । ଗାଁରେ ପହଂଚିବା ପରେ ଆମ ପ୍ରତିନିଧି ଜାଣିବାକୁ ପାଇଲେ, ଗତ ସେପଟେମ୍ବର ୧୮ ତାରିଖରେ ନତଡା ଗାଁର ଯୁବକ ପଂଚାନନ ଖଟୁଆଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ମୃତଦେହ ପଡୋଶୀଙ୍କ କୁଅରୁ ଉଦ୍ଧାର କରାଯାଇଥିଲା । ୨ ଦିନ ପୂର୍ବରୁ ସେ ନିଖୋଜ ଥିଲେ । ଆଉ ଅଚାନକ ତାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ହତବାଗ ହୋଇଯାଇଥିଲେ । ସବୁଠୁ ବଡ଼ କଥା ହେଉଛି, ଏବେ କୁଆଡେ ପଂଚାନନଙ୍କ ଭୂତ ଗାଁର ୪ ଜଣ ମହିଳାଙ୍କୁ ଜଣକ ପରେ ଜଣକୁ ଲାଗୁଛି ଏବଂ ହତ୍ୟାର କାହାଣୀ କହୁଛି । ଏକବିଂଶ ଶତାଦ୍ଦୀରେ ଏଭଳି ଅନ୍ଧବିଶ୍ୱାସକୁ ନେଇ ସାରା ଅନୁଗୁଳ ଜିଲ୍ଲାର ଚହଳ ପଡିଛି ।