କନକ ବ୍ୟୁରୋ : ମଦୁଆ ବରକୁ ପାନେ । ଉତ୍ତରପ୍ରଦେଶର ବରେଲିରେ ବିବାହର କିଛି ଘଣ୍ଟା ପୂର୍ବରୁ କନ୍ୟା ବିବାହ ପାଇଁ ମନା କରିଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଖାସ୍ କରି ଯେଉଁ କାରଣ ପାଇଁ କନ୍ୟା ବିବାହ ଭାଙ୍ଗିଛନ୍ତି, ତାହାକୁ ନେଇ ଲୋକେ ଆଲୋଚନା କରିବା ଆରମ୍ଭ କରିଛନ୍ତି । ଘଟଣାଟି ଉତ୍ତରପ୍ରଦେଶର ବରେଲିରେ ଘଟିଥିବା ବେଳେ ଭାବି ସ୍ବାମୀର ନାଗିନ୍ ନାଚ ଦେଖି କନ୍ୟା ଏଭଳି ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି ।
ସୂଚନା ମୁତାବକ, ବର କଲେଜ ପାଠ୍ୟକ୍ରମ ପୂରା କରି ନଥିବା ବେଳେ କନ୍ୟା ଆଇଟିଆଇ ଡିପ୍ଲୋମା କରିଥିବା ଜଣା ପଡ଼ିଛି । ବିବାହ ଦିନ ବରଯାତ୍ରୀ ମୈଲାନୀରେ ଥିବା ବିବାହ ମଣ୍ଡପରେ ପହଞ୍ଚିବା ପରେ ବରର ସାଙ୍ଗମାନେ ତାଙ୍କୁ ଟାଣି ନେଇ ନାଚିବା ପାଇଁ ବାଧ୍ୟ କରିଥିଲେ । ଯାହା ପରେ ନିଶାଗ୍ରସ୍ତ ହୋଇ ବର ନାଗିନ୍ ନାଚ କରିବା ଆରମ୍ଭ କରିଥିଲେ । କନ୍ୟାପକ୍ଷ ଲୋକେ ବରକୁ ଆଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ବର ସେମାନଙ୍କୁ ଅସମ୍ମାନିତ କରିଥିଲା । ଏତେ ସବୁ ପରେ ମଧ୍ୟ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା ।
କିନ୍ତୁ ବରଣମାଳା ପରେ ଅଧିକ ଖୁସି ହୋଇ ବର ପୁଣି ଥରେ ନାଗିନ୍ ନାଚ କରିବା ଆରମ୍ଭ କରିଥିଲେ । ବରର ଏଭଳି ବ୍ୟବହାର ଦେଖି କନ୍ୟା ସଙ୍ଗେ ସଙ୍ଗେ ବିବାହ କରିବାକୁ ମନା କରି ଦେଇଥିଲେ । କନ୍ୟାର ଏଭଳି ନିଷ୍ପତ୍ତି ଶୁଣି ବର କନ୍ୟାକୁ ଚାପୁଡ଼ା ମାରିବାରୁ ପୁଲିସକୁ ଡ଼କାଯାଇଥିଲା । ତେବେ ନେଇଥିବା ସବୁ ଉପହାର ଓ ଟଙ୍କା ବରପକ୍ଷ ଫେରାଇ ଦେବାରୁ କନ୍ୟାପକ୍ଷ କୌଣସି ଅଭିଯୋଗ କରି ନଥିବା ଜଣା ପଡ଼ିଛି ।