ନିର୍ଦ୍ଦିଷ୍ଟ ନିୟମାବଳୀ ଭିତରେ ସାରା ଭାରତରେ ଖୁବଶୀଘ୍ର ଗଡିବ ବସ୍:ଗାଡ଼ି ଚଳାଚଳ ସ୍ୱାଭାବିକ କରିବା ନେଇ ସୂଚନା ଦେଲେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ,ସାଧାରଣ ଯାତ୍ରୀ ପରିବହନ ପାଇଁ ଆସିବ ଗାଇଡଲାଇନ୍

289

କନକ ବ୍ୟୁରୋ: ଖୁବଶୀଘ୍ର ସାରା ଦେଶରେ ପବ୍ଲିକ ଟ୍ରାନ୍ସପୋର୍ଟ ବା ସାଧାରଣ ପରିବହନ ସେବା ଆରମ୍ଭ ହେବ । ଅର୍ଥାତ୍ ସ୍ୱାଭାବିକ ହେବ ଗାଡ଼ି ଚଳାଚଳ । କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏଭଳି ସଙ୍କେତ ଦେଇଛନ୍ତି । ଘରୋଇ ବସ ମାଲିକ ସଂଘ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା ପରେ ଗଡକରୀ କହିଛନ୍ତି, ଲକଡାଉନ୍ କଟକଣା ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ହଜାର ହଜାର ଲୋକ ଅଟକି ରହିଛନ୍ତି ।

ସେମାନଙ୍କ ସୁବିଧା ପାଇଁ ଗାଡି ଚଳାଚଳ ସ୍ୱାଭାବିକ କରିବାକୁ ସରକାର ଯୋଜନା କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସେ ଏନେଇ ଆଲୋଚନା କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏଦିଗରେ ଗୁରୁତ୍ୱ ଦେଉଛନ୍ତି । ତେବେ ଗାଡି ଚଳାଚଳ ସ୍ୱାଭାବିକ କରିବା ବେଳେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ । ଯାତ୍ରୀଙ୍କ ପାଇଁ ସାନିଟାଇଜର, ହାତ ଧୋଇବା ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ । ସବୁ ଗାଡି ଗୁଡିକୁ ନିୟମିତ ସାନିଟାଇଜ କରାଯିବ । ଗାଡି ଚଳାଚଳ ସ୍ୱାଭାବିକ ପାଇଁ ଗାଇଡଲାଇନ୍ ଆସିବ । ଏବଂ ଏହାକୁ ସମସ୍ତେ ମାନିବାକୁ ବାଧ୍ୟ ହେବେ ।