ଜୁନ୍ ସରିଲା । ଏବେ ଚିନ୍ତାରେ ରାଜ୍ୟ ସରକାର । ଆକ୍ରାନ୍ତ ବଢ଼ିଲେ ୨ ଗୁଣା

815

କନକ ବ୍ୟୁରୋ : ଜୁନ୍‌ ମାସରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା କରି ରାଜ୍ୟ ସରକାର ସପ୍ତାହରେ ଦୁଇଦିନ(ଶନିବାର, ରବିବାର) ୧୧ଟି ଜିଲ୍ଲାରେ ସଟ୍‌ଡାଉନ୍‌ ଘୋଷଣା କରିଥିଲେ। ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଖୋର୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ବଲାଙ୍ଗୀର ଜିଲ୍ଲାର ଲୋକମାନେ ମାସରେ ୮ଦିନ କରୋନାଠାରୁ ଦୂରେଇ ରହିବେ, ଯାହାଫଳରେ ସଂକ୍ରମଣକୁ ଯଥାସମ୍ଭବ ନିୟନ୍ତ୍ରଣ କରିହେବ। ଏହାଥିଲା ସରକାରଙ୍କ ସଟ୍‌ଡାଉନ୍ ଘୋଷଣା ପଛର ମୁଖ୍ୟ ଉଦ୍ଦେଶ୍ୟ।

ହେଲେ ପ୍ରତ୍ୟେକ ସଟ୍‌ଡାଉନ୍ ଆରମ୍ଭ ପୂର୍ବରୁ ଲୋକମାନେ ସାମାଜିକ ଦୂରତ୍ବକୁ ଫୁ’କରି ବଜାର, ମାର୍କେଟ୍‌ରେ ଭିଡ଼ ଜମାଇଥିଲେ। ଶୁକ୍ରବାର ଅପରାହ୍‌ଣରୁ କିଣାକିଣି କରିବା ଲାଗି ଭିଡ଼ ଆରମ୍ଭ ହୋଇଯାଉଥିଲା। ଯାହାଫଳରେ ସଟ୍‌ଡାଉନ୍‌ ସମୟରେ ସାମାଜିକ ଦୂରତ୍ବ ବଜାୟ ରହିବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ଏକପ୍ରକାର ଫେଲ୍‌ ମାରିଥିଲା। ତେବେ ଗତକାଲି ଚଳିତମାସର ୪ ସପ୍ତାହାର ଦୁଇ ଦିନିଆ ସଟ୍‌ଡାଉନ୍‌ ଶେଷ ହୋଇଛି। ଏହି ସମୟ ଭିତରେ ରାଜ୍ୟରେ କରୋନା ସଂକ୍ରମଣ କମିବା ବଦଳରେ ଦ୍ବିଗୁଣିତ ହୋଇଛି। କେବଳ ପଜିଟିଭ୍‌ଙ୍କ ସଂଖ୍ୟା ବଢ଼ିନାହିଁ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ପ୍ରାୟ ୩ଗୁଣ ହୋଇଥିବା ପରିସଂଖ୍ୟାନରୁ ସ୍ପଷ୍ଟ ହୋଇଛି। ଏପରିକି ଜୁନ୍ ମାସରେ ସର୍ବାଧିକ ସଂଖ୍ୟକ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି। ଦୁଇ ଦିନିଆ ସଟ୍‌ଡାଉନ୍ ନ ହୋଇଥିଲେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା କେତେ ବଢ଼ିଥାନ୍ତା ତାହାର କୌଣସି ମାଥେମେଟିକାଲ ବା ଗାଣିତିକ ମଡେଲ ସରକାରୀ କିମ୍ବା ବିଶେଷଜ୍ଞମାନଙ୍କ ପକ୍ଷରୁ ଜାରି ହୋଇ ନାହିଁ। ମାତ୍ର ସାଧାରଣ ଭାବେ ଜୁନ୍ ମାସରେ ଗତ ୩ ମାସ ଅପେକ୍ଷା ସର୍ବାଧିକ ସଂକ୍ରମଣ ହୋଇଥିବା ପରିସଂଖ୍ୟାନରୁ ସ୍ପଷ୍ଟ ହୋଇଛି। ଫଳରେ ଯେଉଁ ୧୧ଟି ଜିଲ୍ଲାରେ ସଂକ୍ରମଣ ଆଶଙ୍କା କରି ରାଜ୍ୟ ସରକାର ସଟ୍‌ଡାଉନ୍‌ ଘୋଷଣା କରିଥିଲେ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି।

ଜୁନ୍ ୬ତାରିଖରେ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୭୮୧ ଓ କରୋନା ମୃତ୍ୟୁ ୮ ରହିଥିଲା। ମାତ୍ର ଗତକାଲି ଏହି ସଂଖ୍ୟା ୬୮୫୯ରେ ପହଞ୍ଚିଛି। ୨୨ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୪୦୭୮ବୃଦ୍ଧି ହୋଇଛି। ବିଶେଷକରି ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଚିହ୍ନଟ ହୋଇଛନ୍ତି। ଏହି ସମୟରେ ଗଞ୍ଜାମ ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ତିନି ଅଙ୍କରେ ଥିବା ବେଳେ ଏବେ ସଂଖ୍ୟା ୪ ଅଙ୍କ ଛୁଇଁ ସାରିଲାଣି। ଜଗତସିଂହପୁର ଓ ନୟାଗଡ଼ ଭଳି ଜିଲ୍ଲା ଗତ ୬ତାରିଖ‌ ବେଳକୁ ଶହେ ଛୁଇଁ ନ ଥିବା ବେଳେ ଏବେ ଦୁଇ ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ୩ ଅଙ୍କ ଛୁଇଁ ସାରିଲାଣି। ଖୋର୍ଧା, କଟକ, ଯାଜପୁର, ବାଲେଶ୍ବର ଭଳି ଜିଲ୍ଲାରେ ସଂଖ୍ୟା ଦିନକୁ ଦିନ ବଢ଼ିବରେ ଲାଗିଛି। ରାଜ୍ୟର ଏହି ୧୧ଟି ଜିଲ୍ଲା ସରକାରଙ୍କ ପାଇଁ ଏବେ ବି ମୁଣ୍ଡବ୍ୟଥାର କାରଣ ହୋଇ ରହିଛି।

କେବଳ ପଜିଟିଭ୍‌ଙ୍କ ସଂଖ୍ୟାରେ ବୃଦ୍ଧି ହୋଇନାହିଁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଛି। ୬ତାରିଖ ବେଳକୁ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୮ ରହିଥିଲା। ମାତ୍ର ଆଜିର ତାରିଖରେ ଏହା ୨୩ରେ ପହଞ୍ଚିଛି। ୨୨ଦିନରେ ମୃତ୍ୟୁ ସଂଖ୍ୟା ପ୍ରାୟ ୩ ଗୁଣ ହୋଇଯାଇଛି। ଗଞ୍ଜାମରେ ୧୨, ଖୋର୍ଧାରେ ୫, କଟକ ୪, ପୁରୀରେ ଗୋଟିଏ ‌କରୋନା ଜନିତ ମୃତ୍ୟୁ ହୋଇଛି।

ବିଶେଷଜ୍ଞଙ୍କ କହିବା କଥା, ସଟ୍‌ଡାଉନ୍ କିମ୍ବା ଲକ୍‌ଡାଉନ୍ ଘୋଷଣା ହୁଏତ ରାଜନୈତିକ ଦୃଷ୍ଟିକୋଣରୁ ବେଶ୍ ଭଲ ଲାଗିଥାଏ, ମାତ୍ର ଏହା କରୋନା ନିୟନ୍ତ୍ରଣ କରିପାରିବ ନାହିଁ। ଲୋକମାନେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ ବଜାୟ ରଖିଲେ କରୋନା ନିୟନ୍ତ୍ରଣ ସମ୍ଭବ ହୋଇପାରିବ। ସଟ୍‌ଡାଉନ୍ ଘୋଷଣା କଲେ ଲୋକମାନେ ଏହା ପୂର୍ବଦିନ ପ୍ରବଳ ମାତ୍ରରେ କିଣାକିଣା କରିବା ପାଇଁ ବଜାରେ ଭିଡ଼ କରୁଛନ୍ତି। ଯାହାଫଳରେ ସାମାଜିକ ଦୂରତ୍ବ ରହୁନାହିଁ। ତେଣୁ ସଟ୍‌ଡାଉନ୍ କିମ୍ବା ଲକ୍‌ଡାଉନ୍ କେବଳ ଅର୍ଥନୀତିକୁ ବିଗାଡ଼ିବା ସହିତ କରୋନା ନିୟନ୍ତ୍ରଣ କରିପାରିବ ନାହିଁ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।