କନକ ବ୍ୟୁରୋ : ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୧ଲକ୍ଷ ୩୯ ହଜାର କୋଟି ଟଙ୍କାର ଏକ ବଢାଚଢା ବଜେଟ୍ ଉପସ୍ଥାପନ କରିଥିଲେ। ଗତବର୍ଷ ତୁଳନାରେ ଏହା ୧୫.୮% ଅଧିକ ଥିଲା । ରାଜ୍ୟ ସରକାର ଆଶା ଦେଖାଇଥିଲେ, ଆଖି ଖୋସି ହେଲା ଭଳି ବିକାଶ ହେବ ରାଜ୍ୟରେ । ମାସ ଦି’ ଟା ବିତିନି, ରାଜ୍ୟ ସରକାରଙ୍କ ସ୍ବପ୍ନକୁ ଫିକା କରିଦେଇଛି ଅର୍ଥନୀତି । ମାନ୍ଦାବସ୍ଥା ମାଡ଼ରେ ଆକ୍ତାମାକ୍ତା ହେଲେଣି ରାଜ୍ୟ ସରକାର । ଏତେ ବଡ଼ ବଜେଟ୍ ଲାଗି ଟଙ୍କା କେଉଁଠୁ ଆସିବ, ସେ ଚିନ୍ତା ଏବେ ରାଜ୍ୟ ସରକାରଙ୍କୁ ଘାରିଛି ।

Advertisment

ଇତିମଧ୍ୟରେ ନିତି ଆୟୋଗ ଓ କେନ୍ଦ୍ର ସରକାର ଜାତୀୟସ୍ତରରେ ମାନ୍ଦାବସ୍ଥାର ସାଂଘାତିକ ପ୍ରଭାବ ସଂପର୍କରେ ସୂଚାଇ ସାରିଛନ୍ତି । ମାନ୍ଦାବସ୍ଥା ପ୍ରଭାବର ଭୟ ରାଜ୍ୟ ଉପରେ ମଧ୍ୟ ଅନୁରୂପ ଭାବେ ପଡିପାରେ ତାହା ଆଜି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଆଖିରେ ସ୍ପଷ୍ଟ ଭାବେ ବାରି ହୋଇପଡିଛି । ନିରଞ୍ଜନପୂଜାରୀ ପ୍ରଥମଥର ପାଇଁ ଗଣମାଧ୍ୟମକୁ ମୁହଁ ଖୋଲି କହିଛନ୍ତି, ବଜାର ଉପରେ ସରକାର କଡ଼ା ନଜର ରଖିଛନ୍ତି । ବଜାର ସ୍ଥିତିକୁ ଦେଖି ବ୍ୟୟ ପରିମାଣ ଉପରେ ସରକାର ନିଷ୍ପତ୍ତି ନେବେ। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜସ୍ବ ଆଦାୟ ଯେପରି ପ୍ରଭାବିତ ନ ହେବ ସେଥିପାଇଁ ସରକାର ଯତ୍ନବାନ୍ ହେବେ ।

ଅର୍ଥ ବିଭାଗର ଅଧିକାରୀମାନେ ମଧ୍ୟ ଅନୁରୂପ ସଙ୍କେତ ଦେଲେଣି ମାନ୍ଦାବସ୍ଥା ପ୍ରଭାବ ପଡିବ, ଏକଥା ଜଳ ଜଳ ହୋଇ ଦିଶିଲାଣି । ଯେହେତୁ ରାଜସ୍ବ ପ୍ରଭାବିତ ହେବା ଆଶଙ୍କା ଉପୁଜିଲାଣି, ଏଣୁ ଖର୍ଚ୍ଚ କମାଇବା ପାଇଁ ସରକାର ବିଚାର କରିପାରନ୍ତି । ବିଶେଷ କରି ଆମୋଦ ପ୍ରମୋଦ ବା ଅନାବଶ୍ୟକ ତଥା ଜରୁରୀ ନଥିବା ଖର୍ଚ୍ଚକୁ ଟାଳି ଦିଆଗଲେ ଭଲ ।

ବଜେଟ ଉପସ୍ଥାପନ ବେଳେ ରାଜ୍ୟ ସରକାର ଟିକସ ବୃଦ୍ଧି ବା ନୂଆ ଟିକସ ସଂପର୍କରେ କୌଣସି ନୂଆ ଯୋଜନା ଉପସ୍ଥାପନ କରିନଥିଲେ। ବଜେଟରେ ଆୟ ବୃଦ୍ଧି ପାଇଁ କୌଣସି ନୂଆ ପ୍ରସ୍ତାବ ନଥିଲା । ପରୋକ୍ଷରେ ସରକାର ସୂଚାଇଥିଲେ ଦ୍ରବ୍ୟ ସେବା କର ଆଇନ ରାଜ୍ୟ ସରକାର ଲାଗୁ କରାଯାଇଛି ଓ ଜିଏସଟି କ୍ଷତିପୂରଣ ନିମନ୍ତେ ୨୦୧୫-୧୬ ଆର୍ଥିକ ବର୍ଷର ଟିକସ ସ˚ଗ୍ରହକୁ ମୂଳ ବର୍ଷ ରୂପେ ଗ୍ରହଣ କରି ପ୍ରତିବର୍ଷ ୧୪ପ୍ରତିଶତ ଅଭିବୃଦ୍ଧି ହାରରେ କ୍ଷତିପୂରଣ ନିରୂପଣ ହୋଇଛି । ଏଣୁ ଟିକସହାନି ଡର ନାହିଁ ବା ଏଥିଲାଗି ସରକାର ବିଚଳିତ ନାହାନ୍ତି । ହେଲେ ସ୍ଥିତି କିନ୍ତୁ ଗମ୍ଭୀର ଆଡକୁ ଗତି କଲାଣି ।

ପରିବହନ କ୍ଷେତ୍ରରେ ମାନ୍ଦାବସ୍ଥା ମାଡ଼ ଅନୁଭୂତ ହେଲାଣି। ଏହାର ପ୍ରତ୍ୟକ୍ଷ ପ୍ରଭାବ ଇସ୍ପାତ ବଜାର ଉପରେ ପଡିବା ଆରମ୍ଭ କରିଛି। ଫଳରେ ଉଭୟ ପରିବହନ ଓ ଖଣି ରାଜସ୍ବ କମିବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ। ସେହିଭଳି ନିର୍ବାଚନ ପରେ ପରେ ଅବକାରୀ ରାଜସ୍ବ କମିବା ନେଇ ସଙ୍କେତ ମିଳୁଛି। ଜିଏସଟି ବି କମିପାରେ।

ଅର୍ଥ ବିଭାଗର କହିବା କଥା ହେଉଛି, ଦାମୀ ଗାଡି କିଣିବା ଭଳି ଅଯଥା ଖର୍ଚ୍ଚ ଉପରେ କୌଣସି ମୁହୂର୍ତରେ କଟକଣା ଜାରି କରାଯାଇପାରେ । ବିଭାଗମାନେ ନିଜ ଆଡୁ ପ୍ରସ୍ତାବ ଦେବା କଥା କେଉଁ କେଉଁ ଖର୍ଚ୍ଚକୁ ସେମାନେ ଟାଳିଦେଲେ ବର୍ତମାନ ପାଇଁ ବିକାଶ ପ୍ରକ୍ରିୟା ଅଟକିବ ନାହିଁ । ଅନ୍ୟଥା, ଅତିରିକ୍ତ ବଜେଟରେ ବିଭାଗମାନଙ୍କର ଖର୍ଚ୍ଚକୁ ସଙ୍କୁଚିତ କରିବା ଲାଗି ପଦକ୍ଷେପ ନିଆଯାଇପାରେ । ତେବେ ରାଜସ୍ବ ଉପରେ କେତେ ପରିମାଣର ପ୍ରଭାବ ପଡିବ, ତାହା ଆଉ କିଛି ଦିନ ପରେ ଠୋସ୍ ଭାବେ ଜଣାପଡ଼ିବ ।

୨୦୧୯-୨୦ ଆର୍ଥିକ ବର୍ଷ ଲାଗି ରାଜ୍ୟ ସରକାର େଯଉଁ ବଜେଟ୍ ଚିତ୍ର ଆଙ୍କିଥିଲେ, ସେଥିରେ ରାଜସ୍ବ ପ୍ରାପ୍ତିରେ ରାଜ୍ୟର ନିଜସ୍ବ ଟିକସ ରାଜସ୍ବ ୩୩ ହଜାର କୋଟି ଟଙ୍କା, ରାଜ୍ୟର ଅଣ-ଟିକସ ରାଜସ୍ବ ୧୨ହଜାର ୫ଶହ କୋଟି ଟଙ୍କା, କେନ୍ଦ୍ରୀୟ ଟିକସରେ ରାଜ୍ୟ ଅଂଶ ବାବଦକୁ ୩୯ ହଜାର ୨୦୭ କୋଟି ଟଙ୍କା ଓ କେନ୍ଦ୍ରୀୟ ଅନୁଦାନ ୩୦ ହଜାର ୫୫୯ କୋଟି ଟଙ୍କା ଆକଳନ କରାଯାଇଥିଲା । ସରକାର ପ୍ରଶାସନିକ ଖର୍ଚ୍ଚ ବାବଦରେ ୫୭ ହଜାର ୩୧୦ କୋଟି ଟଙ୍କା ବରାଦ କରିଥିଲେ। ଯେଉଁଥିରୁ ଦରମା ବାବଦରେ ୨୫ ହଜାର ୫୦୦ କୋଟି, ପେନସନ୍ ୧୩ହଜାର ୩୦୦ କୋଟି, ସୁଧ ୬ ହଜାର ୫୦୦ କୋଟି, ପୁଞ୍ଜି ସ˚ପତ୍ତି ପରିଚାଳନା ତଥା ରକ୍ଷଣାବେକ୍ଷଣ ପାଇଁ ୪୮୪୦ କୋଟି ଟଙ୍କା ରଖାଯାଇଥିଲା।

ଏଭଳି ସ୍ଥିତିରେ ବି ୨୦୧୯-୨୦ ବର୍ଷରେ ଖୋଲାବଜାରରୁ ୧୬ ହଜାର ୪୩୪ କୋଟି ଟଙ୍କା ଋଣ ଉଠାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ସମୁଦାୟ ୨୩ ହଜାର ୭୮୪ କୋଟି ଟଙ୍କା ସରକାର ବିଭିନ୍ନ କ୍ଷେତ୍ରରୁ ଋଣ କରିବେ ବୋଲି ଅର୍ଥମନ୍ତ୍ରୀ ସେତେବେଳେ ଦର୍ଶାଇଥିଲେ। ଯଦି ସ୍ଥିତି ବିଗିଡେ ଓ ସରକାର ବଜେଟରେ କାଣ୍ଟଛାଣ୍ଟ ନ କରନ୍ତି, ତେବେ ଋଣ ପରିମାଣ ବଢାଇପାରନ୍ତି । ଅର୍ଥ ବିଭାଗର ଏ କ୍ଷେତ୍ରରେ ଯୁକ୍ତି ହେଉଛି, ଯେତିକି ଋଣ ଆକଳନ କରାଯାଇଛି, ତାହା ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦର ୧୯.୭ % ହେବ। ଆର୍ଥିକ ଉତ୍ତରଦାୟୀ ଓ ବିତ୍ତୀୟ ପରିଚାଳନା ଆଇନ ଅନୁସାରେ ବକେୟା ଋଣ ଓ ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦ ଅନୁପାତ ୨୫%ରୁ କମ୍ ହେବା ଆବଶ୍ୟକ। ଏହି ସୀମା ଭିତରେ ସରକାର ଅଛନ୍ତି । ତେଣୁ ଅର୍ଥନୀତିର ସ୍ବାସ୍ଥ୍ୟ ସେତେ ବେଶୀ କ୍ଷତିଗ୍ରସ୍ତ ହେବନି, ଯେତିକି ଅନ୍ୟ ରାଜ୍ୟ ବା କେନ୍ଦ୍ର ସରକାରଙ୍କ ଉପରେ ମାନ୍ଦାବସ୍ଥାର ପ୍ରଭାବ ପଡିବ।