କନକ ବ୍ୟୁରୋ : ଏବର୍ଷ ପାଗରେ ବଡ଼ ଧରଣର ପରିବର୍ତନ ସମ୍ଭାବନା ରହିଛି । ଫେବ୍ରୁଆରି ୧୫ ତାରିଖ ବେଳକୁ ସାରା ରାଜ୍ୟରେ ଟାଣ ଖରା ଆରମ୍ଭ ହୋଇଯାଇଥିବ । ଏଭଳି ପୂର୍ବାନୁମାନ ଏବେ ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି। ସ୍ବାଭାବିକ ଭାବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଖରା କାରଣରୁ ରାଜ୍ୟରେ ଅଂଶୁଘାତ ଭୟ ସୃଷ୍ଟି ହୋଇଛି । ପରିସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ଅଂଶୁଘାତ ରୋକିବା ଲାଗି ରାଜ୍ୟ ସରକାର ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ।
ଗତକାଲି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପରିଚାଳନା ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ପ୍ରଥମ କରି ଚଳିତବର୍ଷ ପଶୁମାନଙ୍କ ପାଇଁ ଆଗୁଆ ଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଅଂଶୁଘାତ ରୋକିବାକୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦିଆଯାଇଛି ।
ଟାଣ ଖରାରେ ମଣିଷଙ୍କ ଜୀବନ ସୁରକ୍ଷିତ ରଖିବା ସହ ଜୀବଜନ୍ତୁମାନେ ଯେପରି ପ୍ରଚଣ୍ଡ ରୌଦ୍ର ତାପରେ ଜଳ ପାଇବାରୁ ବଞ୍ଚିତ ନ ହୁଅନ୍ତି ତା ଉପରେ ପ୍ରଥମ କରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଗୁରୁତ୍ବ ଦେଇଛନ୍ତି। ବନ୍ୟଜନ୍ତୁଙ୍କ ପାଇଁ ଜଙ୍ଗଲରେ ଥିବା ଜଳାଶୟଗୁଡ଼ିକର ପୁନରୁଦ୍ଧାର, ଜଳ ବ୍ୟବସ୍ଥା କରିବାକୁ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ସେ ପରାମର୍ଶ ଦେଇଛନ୍ତି ।
ଖାଲିସେତିକି ନୁହେଁ, ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବୁଲା ଷଣ୍ଢ, ଗାଈ ଓ ବାଛୁରିମାନେ ଯେପରି ପାଣି ପାଇଁ ଡହଳବିକଳ ନ ହେବେ ସେଥିପାଇଁ ପ୍ରତି ଘର ଆଗରେ ପାଣି କୁଣ୍ଡ କିମ୍ବା ଜଳ ବ୍ୟବସ୍ଥା କରିବାକୁ ଲୋକଙ୍କୁ ସଚେତନ କରାଯିବ । ଏହାସହିତ ସମ୍ପର୍କିତ ବିଭାଗଗୁଡ଼ିକ ଅଂଶୁଘାତ ରୋକିବାକୁ ଆଗୁଆ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବେ । ଆସନ୍ତା ଫେବ୍ରୁଆରି ୧ ତାରିଖ ଦିନ ଅଂଶୁଘାତ ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ କରିବାକୁ ନିଷ୍ପତ୍ତି ହୋଇଛି ।