ଯୁକ୍ତ ୨ କଲେଜ ଉପରେ ସରକାରଙ୍କ ନଜର : ଭିତ୍ତିଭୂମି ତଥ୍ୟ ମାଗିଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

259

କନକ ବ୍ୟୁରୋ : ଯୁକ୍ତ୨ କଲେଜର ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହୋଇଗଲାଣି । ଜୁଲାଇ ୨୯ରୁ ପ୍ରଥମ ବର୍ଷ ପିଲାଙ୍କ ପାଠପଢ଼ା । ହାତରେ ଆଉ ମାତ୍ର ୨୦ ଦିନ ବାକି ଥିବାବେଳେ କଲେଜଗୁଡ଼ିକର ଭିତ୍ତିଭୂମି ତଥ୍ୟ ମାଗିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଛାତ୍ରଛାତ୍ରୀଙ୍କ ଲାଗି କ୍ୟାମ୍ପସରେ ମୌଳିକ ସୁବିଧା ରହିଛି କି ନାହିଁ ? ସୁରକ୍ଷା, ପାଠଗାର, ଲାବୋରେ‌ଟାରି ଆଜି ପ୍ରମୁଖ ବିଷୟ ଉପରେ ୪ ଦିନ ଭିତରେ ତଥ୍ୟ ଦେବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ନିର୍ଦେଶକ ସୁନ୍ଦରଲାଲ୍‌ ସିଲ୍‌ ନିର୍ଦେଶ ଦେଇଛନ୍ତି ।

୧୬୩୧ଟି ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ ଯୁକ୍ତ୨ କଲେଜକୁ ଚିଠି ଲେଖି ସୁନ୍ଦରଲାଲ୍‌ ସିଲ୍‌ କହିଛନ୍ତି ଯେ କଲେଜଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଲାଗି କିଭଳି ସୁବିଧା ଉପଲବ୍ଧ ହୋଇଛି ସେ ନେଇ ୧୨ ତାରିଖ ସୁଦ୍ଧା ଜଣାଅ । କ୍ୟାମ୍ପସରେ ବିଦ୍ୟୁତ୍‌ ବ୍ୟବସ୍ଥା, ପାନୀୟ ଜଳ ସୁବିଧା, ଶୌଚାଳୟ, ପାଚେରି, ହଷ୍ଟେଲ ସୁବିଧା, ଲାବୋରେ‌ ଟାରି, ଖେଳ ପଡ଼ିଆ ଆଦି ଉପଲବ୍ଧ ରହିଛି କି ନାହିଁ ଜଣାଅ । କଲେଜରେ ପାଠାଗାର ରହିଛି କି ନାହିଁ  ? ଯଦି ପାଠାଗାର ରହିଛି, ସେଠାରେ ପୁସ୍ତକ ସଂଖ୍ୟା କେତେ ?  ବେଞ୍ଚ ଓ ଡେସ୍କ ସଂଖ୍ୟା କେତେ ? ଆଦି ବିଷୟରେ ‘dhse.odisha@gov.in’ ରେ ତଥ୍ୟ ପ୍ରଦାନ କରିବାକୁ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି ।

ଅନ୍ୟପକ୍ଷରେ କିଛି ବର୍ଷ ହେଲା ପରୀକ୍ଷା ସମୟରେ ନକଲି ଯୁକ୍ତ୨ କଲେଜ ପଦାକୁ ଆସୁଥିବାରୁ ଏଥର ଶିକ୍ଷାବର୍ଷ ପୂର୍ବରୁ ତତ୍ପରତା ପ୍ରକାଶ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଛାତ୍ରଛାତ୍ରୀ, ଅଭିଭାବକଙ୍କୁ ସଚେତନ କରାଇବା ସହ ସାମ୍‌ସ ପଞ୍ଜୀକୃତ ହୋଇ ନ ଥିବା ଜୁନିଅର କଲେଜରେ ନାମ ନ ଲେଖାଇବାକୁ ପରାମର୍ଶ ଦିଆଯାଇଛି । ସୋସିଆଲ୍‌ ମିଡିଆ ତଥା ବିଭିନ୍ନ ଖବରକାଗଜରେ ପ୍ରକାଶ ପାଉଥିବା ବିଜ୍ଞପ୍ତିକୁ ଭଲ ଭାବେ ଯାଞ୍ଚ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି ।

 

୨୦୧୯-୨୦ ଶିକ୍ଷାବର୍ଷ ଲାଗି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି । ଆଗକୁ ଆଉ ଗୋଟିଏ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ‌ହେବ। ଏଥିସହ ସ୍ପଟ୍‌ ନାମଲେଖା ବି ରହିଛି । ତେ‌ଣୁ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଆବେଦନ ଓ ନାମ ଲେଖାଇବା ପୂର୍ବରୁ ‘www.sme.odisha.gov.in’ ଓ ‘www.samsodisha.gov.in’ ୱେବସାଇଟ୍‌କୁ ଭଲ ଭାବେ ଯାଞ୍ଚ କରନ୍ତୁ ।