ଓଡ଼ିଆରେ ଫଳକ ଲେଖା ପ୍ରହସନ : ନିର୍ଦ୍ଦେଶନାମା ମାନୁନାହାନ୍ତି ସରକାରୀ ସଂସ୍ଥା

253

କନକ ବ୍ୟୁରୋ :  ଓଡ଼ିଆରେ ନାମ ଫଳକ ପ୍ରହସନ । ଏବେ ବି ସରକାରୀ ସଂସ୍ଥା ମାନୁନାହାନ୍ତି ନିର୍ଦ୍ଦେଶନାମା । ୨୦୧୮ ଅକ୍ଟୋବର ୧୫ ସୁଦ୍ଧା ରାଜଧାନୀର ସମସ୍ତ ପ୍ରତିଷ୍ଠାନର ନାମଫଳକ ଓଡ଼ିଆରେ ଲେଖା ହେବ । ସେପ୍ଟେମ୍ବର, ୨୦୧୮ରେ ତତ୍କାଳୀନ ଉନ୍ନୟନ କମିସନର ଆର୍‌.ବାଲକ୍ରିଷ୍ଣନ ଏପରି ନିର୍ଦ୍ଦେଶନାମା ଜାରି କରିଥିଲେ । ଏପରିକି ଏହା ଯେପରି ଶତ ପ୍ରତିଶତ ସଫଳ ହେବ, ସେଥିପାଇଁ ବିଏମ୍‌ସି ଓ ଶ୍ରମ ବିଭାଗ ବିଭିନ୍ନ ଅନୁଷ୍ଠାନ ଓ ବ୍ୟବସାୟୀଙ୍କୁ ସଚେତନ କରିବେ । ସମସ୍ତେ ନାମଫଳକ ଯେପରି ପ୍ରାଞ୍ଜଳ ଭାବେ ଓଡ଼ିଆରେ ଲେଖିବେ, ସେଥିପାଇଁ ସ୍ବତନ୍ତ୍ର ଅଭିଯାନ କରିବାକୁ କହିଥିଲେ ।

ଓଡ଼ିଆରେ ନାମଫଳକ ନ ଲେଖିଲେ ନିୟମ ଅନୁଯାୟୀ ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶନାମାକୁ ବର୍ଷେ ବିତିଗଲାଣି । ଏଥରକୁ ମିଶାଇ ତତ୍କାଳୀନ ଉନ୍ନୟନ କମିସନର ତିନି ତିନି ଥର ନିର୍ଦ୍ଦେଶ ଦେଇଛନ୍ତି । ହେଲେ ସବୁ ନିର୍ଦେଶକୁ ବିଏମ୍‌ସି କର୍ତ୍ତୃପକ୍ଷ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି। କେବଳ ଲୋକଦେଖାଣିଆ ଭାବେ କିଛି ହାତଗଣତି ଦୋକାନରୁ ଜରିମାନା ଆଦାୟ କରି ଚୁପ୍‌ ରହିଗଲେ। କିନ୍ତୁ ସରକାରୀ ଓ ବେସରକାରୀ ସଂସ୍ଥାରୁ ଜରିମାନା ଆଦାୟ କରିବାକୁ ହାତ ଗଲାନି। ଫଳରେ ସରକାରୀ ନିର୍ଦ୍ଦେଶନାମା ସତ୍ତ୍ବେ ରାଜଧାନୀର ବହୁ ଦୋକାନ, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ‌ରେ ଏବେ ବି ଇଂରାଜୀରେ ନାମଫଳକ ଲେଖା ରହିଥିବା ଦେଖିବାକୁ ମିଳୁଛି ।

ଓଡ଼ିଆରେ ନାମଫଳକ ଲେଖା ହୋଇଛି କି ନାହିଁ; ଯାଞ୍ଚ କରିବା ପାଇଁ ଏକ ୱେବ୍‌ସାଇଟ୍‌ ଖୋଲା ଯାଇଥାନ୍ତା। ଏଥିରେ ନାମଫଳକ ତଦାରଖ ପାଇଁ ବ୍ୟବସ୍ଥା ରହିଥାନ୍ତା । ଯଦି କୌଣସି ଅନୁଷ୍ଠାନର ନାମ ଫଳକ ଓଡ଼ିଆରେ ଲେଖା ହୋଇ ନଥିବ, ତେବେ ଯେକୌଣସି ବ୍ୟକ୍ତି ଏହାର ଫଟୋ ଉଠାଇ ସେହି ୱେବସାଇଟ୍‌ରେ ଅପଲୋଡ୍‌ କରିଥାନ୍ତେ । ଶ୍ରମ ବିଭାଗ ପକ୍ଷରୁ ଏହାର ଯାଞ୍ଚ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯାଇଥା’ନ୍ତା । କିନ୍ତୁ ଏହା କେବଳ ବୈଠକର ଆଲୋଚନାରେ ରହିଗଲା । କେହି ନିୟମ ମାନିଲେନି କି ନିୟମ ମାନୁ ନ ଥିବା ସଂସ୍ଥାର ଫଟୋ ଉଠାଇ ଅପ୍‌ଲୋଡ୍‌ କରିବାକୁ ୱେବସାଇଟ୍ ହେଲାନି । ଶ୍ରମ ବିଭାଗ ଓ ଓଡ଼ିଆ ଭାଷା ପ୍ରତିଷ୍ଠାନ ବି ବିଏମ୍‌ସିର କାର୍ଯ୍ୟାନୁଷ୍ଠାନ ଅପେକ୍ଷାରେ ରହିଗଲେ ।