ପୁଣି ଆସୁଛି ବର୍ଷା : ପାକଳ ଫସଲ ଅମଳ କରି ନିରାପଦ ସ୍ଥାନରେ ରଖିବାକୁ ଚାଷୀଙ୍କୁ ପରାମର୍ଶ

1,192

କନକ ବ୍ୟୁରୋ : ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା ୮ ରୁ ୧୦ ତାରିଖ ମଧ୍ୟରେ ଉପକୂଳ ସମେତ ଉତ୍ତର ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ସ୍ଥାନେ ସ୍ଥାନେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତାହାକୁ ଦୃଷ୍ଟିରେ ରଖି କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶାଳୟ, ଓୟୁଏଟି ସମ୍ପ୍ରସାରଣ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଚାଷୀଙ୍କ ପାଇଁ ଆପାତ୍‌କାଳୀନ ଫସଲ ପରିଚାଳନା ପରାମର୍ଶ ଦିଆଯାଇଛି । କୁହାଯାଇଛି, ବର୍ଷା ହେବା ପୂର୍ବରୁ ପାଚି ଯାଇଥିବା ମଧ୍ୟମ କିସମ ଧାନକୁ ତୁରନ୍ତ କାଟି ସୁରକ୍ଷିତ ସ୍ଥାନରେ ରଖି ଦିଅନ୍ତୁ । ଅମଳ ହୋଇଯାଇଥିବା ସଅଳ କିସମ ଧାନକୁ ବେଙ୍ଗଳା କରି ଦିଅନ୍ତୁ କିମ୍ବା ପଲିଥିନ୍ ଘୋଡ଼ାଇ ସୁରକ୍ଷିତ ରଖନ୍ତୁ । ବର୍ଷାଦିନିଆ ମକାକୁ ଅମଳ କରିଦିଅନ୍ତୁ। ପାକଳ ଅବସ୍ଥାରେ ଥିବା ଖରିଫ୍ ଚିନାବାଦାମ, ମୁଗ ଓ ବିରିକୁ ଓପାଡ଼ି ନିରାପଦ ସ୍ଥାନକୁ ନେଇ ଆସନ୍ତୁ । ଧାନ ଜମିରୁ ବଳକା ପାଣି ବାହାରି ଯିବା ପାଇଁ କର ନାଳି କରନ୍ତୁ ଓ ନାଳିମୁହଁ ଖୋଲା ରଖନ୍ତୁ ।

ଫୁଲକୋବି, ବନ୍ଧାକୋବି ଇତ୍ୟାଦି ତୋଳିବା ଅବସ୍ଥାରେ ଥିଲେ ତୋଳି ଦିଅନ୍ତୁ । ରବି ଫସଲରେ ବର୍ତମାନ ବୁଣାବୁଣି କାମ ବନ୍ଦ ରଖନ୍ତୁ। ବର୍ଷା ଛାଡ଼ିଗଲା ପରେ ପଡ଼ି ଯାଇଥିବା ପନିପରିବା ଗଛର ମୂଳକୁ ମାଟି ଦେଇ ଠିଆ କରାନ୍ତୁ । ସଂପୂର୍ଣ୍ଣ ଭାବେ ପନିପରିବା ଫସଲ ନଷ୍ଟ ହୋଇଯାଇଥିଲେ ଜମିରେ ପାଗ ଆସିଲା ପରେ ପୁଣି ଜମି ପ୍ରସ୍ତୁତ କରି ସଅଳ କିସମ କୋବି ଜାତୀୟ ଫସଲ ଓ ଶୀତଦିନିଆ ଅନ୍ୟାନ୍ୟ ପନିପରିବା ଫସଲ ଲଗାଇବାର ବ୍ୟବସ୍ଥା କରନ୍ତୁ। ପାଣି ଛାଡ଼ିଗଲା ପରେ ଧାନ, ପନିପରିବା ଓ ଡାଲି ଜାତୀୟ ଫସଲରେ କେତେକ ରୋଗ ପୋକ ଲାଗିବାର ସମ୍ଭାବନା ରହିଛି । ଧାନରେ କେଣ୍ଡାକଟା ପୋକ, ଗନ୍ଧିପୋକ, ବେକ ମହିଷା/କେଣ୍ଡା ମହିଷା, ପତ୍ରାଚ୍ଛାଦ ସଢ଼ା ରୋଗ ଲାଗିବାର ଆଶଙ୍କା ରହିଛି । ‌ତେଣୁ ପାଣିପାଗ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ପରିଚାଳନା ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି ।

ଏହି ସମୟରେ କପା ତୋଳିବା ଅବସ୍ଥାରେ ଥିଲେ ସେଗୁଡ଼ିକ ବର୍ଷା ଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ତେଣୁ ଶୁଖିଲା ପାଗ ଦେଖି କପା ତୋଳି ଶୁଖାଇ ଅମଳ କରି ଦିଅନ୍ତୁ । କଦଳୀ ଫସଲ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ତେଣୁ ବର୍ଷା ପରେ ଭାଙ୍ଗି ପଡ଼ିଥିବା ଗଛଗୁଡ଼ିକୁ କାଟି ବାହାର କରି ଦିଅନ୍ତୁ । କଦଳୀ ବଗିଚାରୁ ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ। ବଗିଚାକୁ ପରିଷ୍କାର ରଖନ୍ତୁ। ପନିପରିବା ଓ ଡାଲିଜାତୀୟ ଫସଲରେ ଜଉପୋକ, ପାଉଁଶିଆ ରୋଗ, ଝାଉଁଳା ରୋଗ ଆଦି ଲାଗିପାରେ । ତେଣୁ ପଦକ୍ଷେପ ଗ୍ରହଣ କରିବା ସହ ଅଧିକ ଜାଣିବା ପାଇଁ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର, କୃଷି ସମ୍ପ୍ରସାରଣ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କୁହାଯାଇଛି ।