କେନ୍ଦୁଝର : ଅନାଥ ଅସହାୟ ଅବସ୍ଥାରେ ରୋଗୀଣା ଭାଇ ଓ ଭଉଣୀକୁ ବଂଚାଇବାକୁ ପର ଘରେ ମୁଲ ଲାଗୁଛି ଘରର ବଡ଼ ଝିଅ

55

କନକ ବ୍ୟୁରୋ : ଆଦିବାସୀ ଅଧ୍ୟୁଷିତ ଅଂଚଳର ବିକାଶ ପାଇଁ ସରକାର ଯୋଜନା ପରେ ଯୋଜନା କରୁଛନ୍ତି । ହେଲେ ପ୍ରଶାସନର ଉଦାସୀନତା ଯୋଗୁଁ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଂଚିପାରୁନି ଏହି ସବୁ ଯୋଜନା । ଏମିତି ଘଟଣା ଦେଖବବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର କୋଦଗାଡ଼ିଆ ଗାଁରେ ।

ଆଦିବାସୀ ଅଧ୍ୟୁସିତ ଏହି ଗାଁରେ ରୁହନ୍ତି ୩ଜଣ ଅନାଥ ପିଲା । ପିଲାଦିନୁ ବାପା ଚାଲିଯାଇଥିବା ବେଳେ ଏବେ ୩ ଦିନ ତଳେ ରୋଗୀଣା ମାଆ ମଧ୍ୟ ଚାଲିଗଲା । ଦିଓଳି ଦିମୁଠା ଖାଇବା ଯୋଗାଡ଼ କରିବା ମଧ୍ୟ ଏମାନଙ୍କ ପାଖେ ଅସମ୍ଭବ ହୋଇପଡ଼ିଛି । ମାଆର ସୁଦ୍ଧ କ୍ରିୟା କରିବାକୁ ମଧ୍ୟ ଏମାନଙ୍କ ପାଖେ ପଇସାଟିଏ ନାହିଁ ।

ଆଉ ପରିବାରର ସମ୍ପୁର୍ଣ୍ଣ ଦାୟିତ୍ୱ ଏବେ ବଡ଼ ଝିଅ ନନ୍ଦିନି ଉପରେ । ପରଘରେ ମୁଲ ଲାଗି ଭାଇ ଭଉଣୀକୁ ବଂଚାଇବାକୁ ସଂଘର୍ଷ କରୁଛି ନନ୍ଦିନି । ଅଭାବ ଅସୁବିଧାରେ ଚଳୁଥିବା ଏହି ପିଲାଙ୍କ ପାଖରେ ପାଠ ପଢିବା ଯେମିତି ସାତ ସପନ ପାଲଟିଛି । ଚିକିତ୍ସା ଅଭାବରୁ ରୋଗୀଣା ଭାଇର ଦେହ ମଧ୍ୟ ଭଲ ହୋଇପାରୁନି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ଏମାନଙ୍କ ବିଷୟରେ ପ୍ରଶାସନ ପାଖରେ ଖବର ନାହିଁ, ଏନେଇ ଆମେ ପହଂଚିଥିଲୁ ଚମ୍ପୁଆ ଉପଜିଲ୍ଲାପାଳଙ୍କ ପାଖରେ ସେ ଏବିଷୟରେ ତଦନ୍ତ କରି ଖୁବ ଶୀଘ୍ର ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସରକାରଙ୍କର ଆଦିବାସୀ କଲ୍ୟାଣ ଯୋଜନା କେତେ କାର୍ଯ୍ୟକାରୀ ହେଉଛି ତାହା ନନ୍ଦିନୀର କାହାଣୀରୁ ସହଜେ ଅନୁମେୟ ।